Latest Odisha News

ସ୍ୱାସ୍ଥ୍ୟକର୍ମୀ ଆମ ହିରୋ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ହସ୍ପିଟାଲ ଓ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆମ ହିରୋ । ସେମାନେ ଆମର ମୂଲ୍ୟବାନ ସମ୍ପତ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ସେବା ଓ ତ୍ୟାଗ ପାଇଁ ରାଜ୍ୟରେ କରୋନା ମୃତ୍ୟୁହାର କମିଛି ଏବଂ ଆରୋଗ୍ୟ ହାର ବଢିଛିି । ସଙ୍କଟବେଳେ ସ୍ୱାସ୍ଥ୍ୟକର୍ମୀ ହିଁ ରାଜ୍ୟବାସୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କରୋନା ସହ ଲଢେଇରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ତେଣୁ ନିଜର ଏବଂ ନିଜ ଟିମର ସୁରକ୍ଷା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଆଗକୁ ମୌସୁମୀ ଆସୁଥିବାରୁ ଆଗାମୀ କିଛି ସପ୍ତାହ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡିବ । ସ୍ବାସ୍ଥ୍ୟ ବିଭାଗ ସାରା ରାଜ୍ୟରେ ଘରକୁ ଘର ବୁଲି ସକ୍ରିୟ କୋଭିଡ ପରିସ୍ଥିତି ପର‌୍ୟ୍ୟବେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏଥିସହିତ ଗୁରୁତର ରୋଗୀ, ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ମଧ୍ୟ ପର‌୍ୟ୍ୟବେକ୍ଷଣ କରିବା ପାଇଁ ଏକ ସମନ୍ବିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଗତ କିଛି ସପ୍ତାହ ମଧ୍ୟରେ ସ୍ବାସ୍ଥ୍ୟସେବା ଯୋଗାଉଥିବା ଆମର ଯୋଦ୍ଧାମାନଙ୍କ ମଧ୍ୟରୁ କେତେ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ଘଟଣା ତାଙ୍କୁ ଚିନ୍ତିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ଭିଡିଏ କନ୍‌ଫରେନସିଂ ଜରିଆରେ କୋଭିଡ ମ୍ୟାନେଜମେଣ୍ଟ ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡିକାଲ କଲେଜର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ତଥା ରାଜ୍ୟର ବିଭିନ୍ନ କୋଭିଡ ହସ୍‌ପିଟାଲର କର୍ମକର୍ତ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ । ଏହି କର୍ମଶାଳାରେ ମୁଖ୍ୟତଃ କୋଭିଡ-୧୯ ପରିଚାଳନାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ସ୍ବାସ୍ଥ୍ୟ ନିରାପତ୍ତା ସଂପର୍କିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯାଇଥିଲା।

Leave A Reply

Your email address will not be published.