Latest Odisha News

BREAKING NEWS

ଶ୍ରୀଜୀଉଙ୍କ ଅଣସରରେ ବେଳେ ଶ୍ରଦ୍ଧାଳୁଙ୍କ କର୍ତ୍ତବ୍ୟ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗି ହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରିଥାନ୍ତି । ତତ୍ପରେ କୋଠ ସୁଆଁସିଆ ମାନେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବେଢ଼ି ଦିଅନ୍ତି ଏବଂ ଧୁକୁଡି ଦ୍ୱାର ବାଟେ ଏକ ଚୋରା କବାଟ ରଖିଥାନ୍ତି । ଜଗମୋହନ ଏହି ବାଉଁଶ ତାଟି ରେ ୨ ଭାଗ ରେ ବିଭକ୍ତ ହୋଇଯାଇଥାଏ । ଭିତର ପଟ ଭାଗରେ ଦାରୁ ବିଗ୍ରହ ରୁହନ୍ତି ଓ ବାହାର ଭାଗ ରେ ଏକ ଖଟ ରଖା ଯାଇଥାଏ । ଏହା ପୂର୍ବରୁ ଚିତ୍ରକାର ଗୃହରୁ ରୁ ୩ଗୋଟି ପଟି ଦିଅଁ ଯଥା ବାସୁଦେବ, ଭୁବନେଶ୍ଵରୀ ଏବଂ ନାରାୟଣ ଘଣ୍ଟ, ଛତ୍ର, କାହାଳୀ ରେ ଆସି ଜୟ ବିଜୟ ଦ୍ୱାରରେ ରଖା ଯାଇଥାନ୍ତି । ମହାଜନ ସେବକ ଦକ୍ଷିଣଘରୁ ସାତ ମୂର୍ତ୍ତି ଯଥା ବାଡ଼ି ନୃସିଂହ, ରାମ କୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଦୋଳଗୋବିନ୍ଦ, ମଦନମୋହନଙ୍କୁ ଉକ୍ତ ଖଟ ଉପରକୁ ବିଜେ କରାଯାଇଥାଏ । ତତ୍ପରେ ୩ଟି ପଟି ଦିଅଁ ଙ୍କୁ ୩ ବାଡ଼ରେ ରୁନ୍ଧା ହୁଅନ୍ତି । ବଡ଼ ବାଡ଼ରେ ବାସୁଦେବ ପଟି ପାଖରେ ରାମ କୃଷ୍ଣ, ବାଡ଼ି ନୃସିଂହ, ମଝି ବାଡ଼ରେ ଭୁବନେଶ୍ଵରୀ ପଟି ପାଖରେ ଶ୍ରୀଦେବୀ ଏବଂ ଭୂଦେବୀ, ମହାପ୍ରଭୁଙ୍କ ବାଡ଼ରେ ଦୋଳଗୋବିନ୍ଦ ଏବଂ ମଦନମୋହନ ବିଜେ କରିଥାନ୍ତି । ଏହାପରେ ଦିଅଁମାନଙ୍କ ପୂଜାପଣ୍ଡା ସାମନ୍ତ ପଞ୍ଚାମୃତ ସ୍ନାନ ବଢ଼ାଇଥାନ୍ତି ।

ଅଧିକ ପଢନ୍ତୁ: ଯୁଗେ ଯୁଗେ ମହାପ୍ରଭୁ ଓ ଶ୍ରୀମନ୍ଦିର…

ଅଣସର ସମୟରେ ନିୟମ ଓ କର୍ତ୍ତ୍ୟବ୍ୟ, ବହୁ ଲୋକ ଏହା ଅବଗତ ନୁହନ୍ତି, ଯେ ଅଣସର ସମୟରେ ଆମର ବି କିଛି କର୍ତ୍ତ୍ୟବ୍ୟ ରହିଛି ବୋଲି । ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରୁ ଠାକୁରମାନେ ବାହୁଡିବା ଠାରୁ ଆଷାଢ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଅନବସର ବା ଅଣସର ନାମରେ ଖ୍ୟାତ । ଏହି ପନ୍ଦର ଦିନ ମହାପ୍ରଭୁଙ୍କ ଦର୍ଶନ ନିଷେଧ ଅଟେ ।
ବିଭିନ୍ନ ପୁରାଣରେ ଅନବସର ସମୟରେ ପାଳନ ହେଉଥିବା ନିୟମ ସମ୍ବଦ୍ଧରେ ବର୍ଣ୍ଣନା କରାଯାଇଅଛି ।

” ତତଃ ପଞ୍ଚ ଦଶାହାନି ସ୍ନାନାନ୍ତେ ମମ ସତ୍ତମ୍ ।
ସ୍ୱରୁପାଂ ବା ବିରୂପାଂ ବା ନ ପଶ୍ୟେତ୍ ପ୍ରତିମାଂ ମମ ।।
ଯଃ ପଶ୍ୟେଦନବସରେ ଜଗନ୍ନାଥଂ ବିମୂଢ଼ଧୀଃ ।
ଚତ୍ତ୍ୱରି ତସ୍ୟ ନଶ୍ୟନ୍ତି ଚାୟୁପ୍ରଜ୍ଞାଯଶୋବଳମ୍ ।।
(ସ୍କଦ୍ଧ ପୁରାଣ)

” ବିରୂପଂ ବା ସ୍ୱରୁପଂ ବା ତସ୍ମିନ୍ କାଳେ ନୃପୋତ୍ତମ୍ ।
ଯେ ପଶ୍ୟନ୍ତି ଚ ତେ ସର୍ବେ ପଚ୍ୟନ୍ତେ ନିରୟେ ଧୃବମ୍ ।।”
(ନିଳାଦ୍ରି ମହୋଦୟ)
ସ୍ୱୟଂ ମହାପ୍ରଭୁ ଏହି ଅନବସର ସମୟରେ ହେଉଥିବା ନିୟମ ବିଷୟରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବୁଝେଇବା ପାଈଁ ଯାଇ କହିଛନ୍ତି ଯେ । \” ସ୍ନାନ ପରେ ପନ୍ଦର ଦିନ ମୋର ପ୍ରତିମାକୁ ତାହା ସ୍ୱରୂପରେ ଥାଉ ଅବା ବିରୂପରେ ଥାଉ ଯିଏ ଦର୍ଶନ କରେ ତାହାର ଆୟୁ, ଜ୍ଞାନ, ଯଶ ଏବଂ ବଳ ନଷ୍ଟ ହୋଇଯାଏ \”

ଅଧିକ ପଢନ୍ତୁ – ତିନିରଥରେ ରୂପକାର ସେବକଙ୍କ ରାହୁଚାପ, ଚାନ୍ଦିଲତା ଖୋଦେଇ; ରଙ୍ଗୀନ୍ ହେଉଛି ନାଟଗୋଜ

ଏଥିରୁ ଅନୁମିତ ହୁଏ ଯେ ସ୍ୱୟଂ ମହାପ୍ରଭୁ ତାଙ୍କ ଶ୍ରୀମୁଖରେ ଏହି ସମୟରେ ହେଉଥିବା ଦର୍ଶନକୁ ବାରଣ କରିଅଛନ୍ତି ।

ଅଣସର ସମୟରେ କ’ଣ କର୍ତ୍ତବ୍ୟ:

ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣ ଓ ପ୍ରତ୍ୟେକ ଘରର ମୁରବି। ଯେମିତି ଜଣେ ପରିବାରରେ ଜଣେ ବ୍ୟକ୍ତି ଅସୁସ୍ଥ ହେଲେ ସମସ୍ତ ପରିବାର ତାଙ୍କ ସେବା ସୁଶ୍ରୁଶାରେ ଲାଗି ପଡନ୍ତି । ଏହାସହ ତାଙ୍କୁ କୌଣସି କାର‌୍ୟ୍ୟ, ଦାୟିତ୍ୱ ଦିଆଯାଇ ନଥାଏ ଓ ଅଳି ମଧ୍ୟ କରାଯାଇ ନଥାଏ । ସେଇଭଳି ଆମ ପାଈଁ ଜଗନ୍ନାଥ । କିଏ ତାକୁ ବାପା କହେ ତ କିଏ ତାକୁ ପୁତ୍ର, ପୁଣି କିଏ ତାକୁ ବନ୍ଧୁ କହେ ତ କିଏ ତାକୁ ଇଷ୍ଟ । ବର୍ଷସାର କିଛି ନା କିଛି ତାଙ୍କ ସହ ଦେବା ମାଗିବା ଚାଲିଥାଏ । ହଁ, ଦେବା ମାଗିବା ସ୍ଵାଭାବିକ କଥା, କାହିଁକି ନ ମାଗିବା ସେ ଯେହେତୁ ଆମ ଘର ଲୋକ । ତେଣୁ ଏହି ଦେବା ମାଗିବାରେ କିଛି ଭୁଲ ନ ଥାଏ ।

ହେଲେ, ସେ ଯେତେବେଳେ ଅସୁସ୍ଥ ତାଙ୍କ ପ୍ରତି ଆମର ସେବା ନିଶ୍ଚୟ ରହିଅଛି । ଶ୍ରୀ ଅଙ୍ଗର ସେବା ତ ସମସ୍ତେ କରି ପାରିବେ ନାହିଁ ହେଲେ ଆମେ ତାଙ୍କ ଆରୋଗ୍ୟ କାମନା ତ କରି ପାରିବା । ଏହା ସହ ଆହୁରି କିଛି ସାଧାରଣ ନିୟମ ରହିଅଛି । ନିୟମ ତ ନୁହେଁ ଏହା ତାଙ୍କ ପ୍ରତି ନିଷ୍କାମ ଭଲ ପାଇବାର ପରିଚୟ ।

କୋଟି ବ୍ରହ୍ମାଣ୍ଡର ନାୟକ ଏବେ ଅସୁସ୍ଥ ହୋଇଛନ୍ତି, ତେଣୁ ଏହି ସମୟରେ ଦେଉଳରେ କେହି ବେଦପାଠ,ବଡ ପାଟିରେ ସ୍ତବପାଠ ଇତ୍ୟାଦି ଭଜନ ଜଣାଣ କରି ପ୍ରଭୁଙ୍କୁ ଡାକନ୍ତି ନାହିଁ । କାରଣ ପ୍ରଭୁ ବିଶ୍ରାମ ନେଉଛନ୍ତି । କାଳେ ସେ କଷ୍ଟ ପାଇବେ । ମନ୍ଦିରରେ ଘଣ୍ଟ କି ଘଣ୍ଟି ବାଜି ନାହିଁ କାଳେ ସେ ଦୀର୍ଘ ଶବ୍ଦ ଆମ ଠାକୁରଙ୍କୁ କଷ୍ଟ ଦେବ। ତାଙ୍କର ଚିତ୍ର, ଫୋଟୋ ଇତ୍ୟାଦି ଦେଖିବା ବାରଣ ଥାଏ । ବାରଣ ତ ନୁହେଁ କାଳେ ତାଙ୍କୁ ଦେଖି ମନ ବିକଳ ହୋଇ ଡାକିଲେ ସେ କାଳେ ଭକତ ବିକଳ ହୋଇ କଷ୍ଟ ପାଇବେ, ପୁଣି ତାଙ୍କୁ ଦେଖି କିଛି ମାଗିବାକୁ ଇଛା ହେବ ଓ ଏହା ଫଳରେ ପ୍ରଭୁ ମୋର ପୁଣି କଷ୍ଟ ପାଇବେ । ଏଇଟା ଭାବର କଥା। ଯଦି ମହାପ୍ରଭୁଙ୍କ ପ୍ରତି ପ୍ରେମ ଭାବ ଥାଏ ତେବେ ନିଶ୍ଚୟ ମନରେ ଆସେ ମୁଁ ପଛେ କଷ୍ଟରେ ରହେ ହେଲେ ମହାପ୍ରଭୁ ଅସୁସ୍ଥ ଥିବା ସମୟରେ ତାଙ୍କୁ ବିକଳ ହୋଇ ଡାକିବିନି । ମନରେ ତାଙ୍କୁ ଭାବେ ପଛେ ହେଲେ ମୁଖରେ ନ ଆସୁ । ହୃଦରେ ଚିତ୍ର ଥାଉ ହେଲେ ବାହାରେ ଦେଖେଇ ନ ହୁଏ ।
ଆମେ ବର୍ତ୍ତମାନ ଉନ୍ନତ ହୋଇଛେ । କିନ୍ତୁ, ଏବେ ଟିଭି ଆସିବାଠୁ ଏ ପରମ୍ପରା ନଷ୍ଟ ହୋଇଯାଇଛି । ସେତେବେଳେ ପୁରୀ ର ଲୋକମାନେ ଯେଉଁ ଠି ଜଗନ୍ନାଥ ଙ୍କ ଫଟୋ ଥିଲା ତାକୁ ମଧ୍ୟ ଦେଖୁ ନଥିଲେ ଘୋଡାଈ ରଖୁଥିଲେ କାଳେ ମୋ ପ୍ରଭୁ ମୋ ପାଇଁ କଷ୍ଟ ପାଇବେ। ସେତ ଦୟାମୟ। କାଳେ ମୁଁ ବିକଳ ହୋଇ ଡାକିଲେ ମୋ ପ୍ରଭୁ ବିକଳ ହେବେ ଏବେ ସେ ଭୟ ମଧ୍ୟ ନାହିଁ । ଟିଭିରେ ଦିନ ରାତି ଭଜନ ଓ ତାଙ୍କର ଫଟୋ ଦର୍ଶନ ହେଉଛି । କେହିବି ବିରୋଧ କରିବାକୁ ନାହଁନ୍ତି । ଧନ୍ୟ ରେ ନିଜକୁ ବୋଲାଉ ଥିବା ଭକ୍ତ ମୋବାଇଲ କଥା କହିଲେ ନ ସରେ ।

ଏ କଥା କେତେ ଲୋକ ମାନିବେ ଜଣା ନାହିଁ । ହେଲେ ଏ ଆଧୁନିକ ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମହାପ୍ରଭୁଙ୍କ ଚିତ୍ର ଓ ଚଳଚିତ୍ର ପ୍ରସାରଣ ହେଉଅଛି । ତାହା ହେବା ଉଚିତ ନୁହେଁ। ଏତିକି ଅନୁରୋଧ, ଜାଣି ନଥିଲେ ଠିକ୍ ଅଛି ହେଲେ ଜାଣିଲା ପରେ ଏହି ଭୁଲ କରିବା ମହାପାପ ହେବ। ଆମେ ଶ୍ରୀ ଅଙ୍ଗ ଗୁପ୍ତ ସେବା ତ କରି ପାରିବ ନାହିଁ କିନ୍ତୁ, ଏତିକି ତ କରି ପାରିବା କି ଏହି ପନ୍ଦର ଦିନ ଯାକ ମହାପ୍ରଭୁଙ୍କ ଚିତ୍ର,ଚଳଚିତ୍ର ପ୍ରଭୃତି ସେୟାର କରିବା ନାହିଁ । ଘରେ ମଧ୍ୟ ତାଙ୍କ ଫୋଟ କିମ୍ବା ବିଗ୍ରହଙ୍କୁ ଗୁପ୍ତ କରି ରଖିବା । ଯଥା ସମ୍ଭବ ଏହାକୁ ବିରୋଧ କରିବା । ଯଦି ଆବଶ୍ୟକ ହୁଏ ଅଣସର ପଟିଦିଅଁ ଓ ଅଲାରନାଥଙ୍କ ଚିତ୍ର ସେୟାର କରି ପାରିବା ।  ।। ଜୟ ମହାପ୍ରଭୁ ଜଗନ୍ନାଥ ।।

ମାର୍କଣ୍ଡେଶ୍ୱର ସାହି, ରାଧାଗୋବିନ୍ଦ ଲେନ୍‌, ପୁରୀ  ମୋ – ୯୮୬୧୩୩୨୪୩୪

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.