Latest Odisha News

BREAKING NEWS

ଜେଲରେ ରହିବେ ରାଜା ଚକ୍ର, ୫କୁ ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

ବାଲେଶ୍ବର: ପୁଣି ଜେଲ ଗଲେ ରାଜା ଚକ୍ର। ଆର୍ଥିକ ଅନିୟମିତତା ମାମଲା​‌ରେ ଗିରଫ ହୋଇ ବାଲେଶ୍ବର ଜିଲ୍ଲା କାରାଗାର ବିଚାର ବିଭାଗୀୟ ହାଜତରେ ଥିବା ଗନ୍ଧମାର୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସମବାୟ ସମିତିର ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କୁ ଗୁରୁବାର ପୁଣି ଓଡ଼ିଶା ଜମାକାରୀ ସ୍ବାର୍ଥରକ୍ଷା (ଓପିଆଇଡି) ଅଦାଲତରେ ହାଜର କରାଯାଇଥିଲା। ତେବେ ତାଙ୍କ ପକ୍ଷରୁ ଆବେଦନ ହୋଇଥିବା ଜାମିନର ଶୁଣାଣି ନହେବାରୁ ତାଙ୍କୁ ପୁଣି ଜେଲକୁ ଯିବାକୁ ପଡ଼ିଛି।

ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ବାଲେଶ୍ବରରେ ପହଞ୍ଚି ରାଜା ଚକ୍ର ପାଇଁ ଜାମିନ ଆବେଦନ କରିଥିଲେ। ରାଜ୍ୟ ଅପରାଧ ଶାଖାର ଅର୍ଥନୈତିକ ଅପରାଧ ବିଭାଗ(ଇଓଡବ୍ଲ୍ୟୁ) ଜବତ କରିଥିବା ୨୦୨୨ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସମିତିର ରିଜୋଲ୍ୟୁସନ ବହି ଏବଂ ସ୍ପେଶାଲ ଅଡିଟ ରିପୋର୍ଟ ଦାଖଲ ପାଇଁ ସେ ଅଦାଲତକୁ ପ୍ରାର୍ଥନା କରିଥିଲେ। ଅବଶ୍ୟ ଏହାର ଅଫିସ କପି ସେ ଅଦାଲତ​‌େ​‌ର ଦାଖଲ କରିଥିଲେ। ସେହି କ୍ରମରେ ଜଜ ବିଶ୍ବଜିତ ଦାସ କେସ୍‌ ଡାଏରୀ ସହିତ ଦୁଇ ମୂଳ ରେକର୍ଡ଼ ଦାଖଲ ପାଇଁ ସରକାରୀ ଓକିଲଙ୍କୁ ନି​‌​‌ର୍ଦ୍ଦେଶ ଦେଇଥିଲେ।

ଆସନ୍ତା ୫ ତାରିଖରେ ଇଓଡବ୍ଲ୍ୟୁ ତଦନ୍ତକାରୀ ଅଧିକାରୀ ଅଦାଲତରେ ଦାଖଲ କରିବେ ବୋଲି ସରକାରୀ ଓକିଲ ଅଦାଲତକୁ ଜଣାଇଥିଲେ। ଏନେଇ ଆସନ୍ତା ୫ ତାରିଖକୁ ପରବର୍ତ୍ତୀ ଶୁଣାଣି ରଖାଯାଇଛି। ସେହିଦିନ ସିଡି ଓ ରେକର୍ଡ଼ ଦାଖଲ ପରେ ଜାମିନ ଉପରେ ଶୁଣାଣି କରାଯିବ ବୋଲି ରାଜାଙ୍କ ଓକିଲ ସୂଚନା ଦେଇଛନ୍ତି।

Comments are closed.