ନୂଆଦିଲ୍ଲୀ: ସଚିନ ପାଇଲଟ କରିଥିବା ଆବେଦର ଶୁଣାଣି ସ୍ଥିଗିତ । ରାଜସ୍ଥାନ ହାଇକୋର୍ଟ ବିଚାରପତି ଏହାକୁ ସ୍ଥିଗିତ ରଖିଛନ୍ତି । ଆସନ୍ତାକାଲି ଏହାର ଶୁଣାଣି ହେବ । ରାଜସ୍ଥାନ ବିଧାନସଭାର ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ଅଯୋଗ୍ୟତା ନୋଟିସ୍କୁ ବିରୋଧ କରି ସଚିନ ପାଇଲଟ ଅନ୍ୟ ୧୮ଜଣ ବିଧାୟକଙ୍କ ସହ ରାଜସ୍ଥାନ ହାଇକୋର୍ଟରେ ପିଟିସନ୍ ଦାଏର କରିଥିଲେ। ଆଜି ଅପରାହ୍ଣ ୩ଟା ବେଳେ ରାଜସ୍ଥାନ ହାଇକୋର୍ଟରେ ଏହି ପିଟିସନ୍ର ଶୁଣାଣି ଆରମ୍ଭ ହୋଇଥିବା ବେଳେ କିଛି ସମୟ ପରେ ଏହାକୁ ସ୍ଥଗିତ ରଖାଯାଇଥିବା ଜଣା ପଡ଼ିଛି।
ପାଇଲଟ କ୍ୟାମ୍ପ ଦାଏର କରିଥିବା ନିଜର ଆବେଦନକୁ ସଂଶୋଧନ କରିବାକୁ ସମୟ ମାଗିଥିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ଜଣା ପଡ଼ିଛି। ଅଯୋଗ୍ୟତା ନୋଟିସକୁ ଚ୍ୟାଲେଞ୍ଜ କରି ସଚିନ ପାଇଲଟଙ୍କ ଓକିଲ ହରିଶ ସାଲଭେ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ଆଜି ପାଇଁ ଏହାର ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ବେଳେ ଆସନ୍ତାକାଲି ପୁଣି ଏହି ମାମଲାର ଶୁଣାଣି ହେବ।
ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ତାଙ୍କୁ ବିଧାନସଭା ପାଇଁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଶାସକ କଂଗ୍ରେସ ଚାହୁଁଥିଲା। କଂଗ୍ରେସ ବିଧାୟକ ପାର୍ଟି ବୈଠକରେ ଯୋଗ ନ ଦେଇଥିବା କାରଣରୁ ବୁଧବାର ଦିନ ବାଚସ୍ପତି ଯୋଶୀ ପାଇଲଟ୍ ଏବଂ ଅନ୍ୟ ୧୮ଜଣ କଂଗ୍ରେସ ବିଧାୟକଙ୍କୁ ନୋଟିସ୍ ଜାରି କରିଥିଲେ। ରାଜସ୍ଥାନ କଂଗ୍ରେସ ୟୁନିଟ୍ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବା ବେଳେ ବିଜେପିରେ ଯୋଗ ଦେବେ ନାହିଁ ପାଇଲଟ୍ ସ୍ପଷ୍ଟ କରିଥିଲେ ମଧ୍ୟ କଂଗ୍ରେସ ଅଭିଯୋଗ କରୁଛି କି, ବିଜେପି ସହ ମିଶି ସେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି।
Comments are closed.