ନୂଆଦିଲ୍ଲୀ: ଭାରତୀୟ ସେନା ଏକ ବଡ଼ ଖବର ପ୍ରକାଶ କରିଛି। ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନୀ ସେନାର ୬୪ ଜଣ ଯବାନ ଓ ଅଧିକାରୀ ନିହତ ହୋଇଛନ୍ତି। ଏହି ପାକିସ୍ତାନୀ ଯବାନମାନେ ଜମ୍ମୁ-କଶ୍ମୀରରେ ମୁତୟନ ଥିବା ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି। ଏହି ଅପରେସନ୍ରେ ୯୦ରୁ ଅଧିକ ପାକିସ୍ତାନୀ ସୈନିକ ଆହତ ହୋଇଥିବା ଜଣାପଡ଼ିଛି।
ସୋମବାର ଦିନ ଭାରତୀୟ ସେନା ସହିତ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସଂସଦୀୟ କମିଟିକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷ ପାରମ୍ପରିକ ସୀମା ମଧ୍ୟରେ ରହିଥିଲା। ପାକିସ୍ତାନ ପକ୍ଷରୁ କୌଣସି ପରମାଣୁ ବିପଦର ସଙ୍କେତ ମିଳି ନଥିଲା। ଦ୍ୱିପାକ୍ଷିକ ସ୍ତରରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ନେଇ ସହମତି ହୋଇଛି।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନ ନିଜ ଦେଶରେ ହୋଇଥିବା କିଛି ହତ୍ୟା ପାଇଁ ଭାରତକୁ ଦାୟୀ କରୁଛି, କିନ୍ତୁ ତା ପାଖରେ କୌଣସି ପ୍ରମାଣ ନାହିଁ। ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆତଙ୍କବାଦୀ ଘୋଷିତ ବ୍ୟକ୍ତିମାନେ ପାକିସ୍ତାନରେ ମୁକ୍ତ ଭାବେ ବୁଲୁଛନ୍ତି ଏବଂ ଭାରତ ବିରୋଧରେ ହିଂସା ଭଡ଼କାଉଛନ୍ତି। ସୂତ୍ର ଅନୁସାରେ, କମିଟିର କିଛି ସାଂସଦ ବୈଦେଶିକ ସଚିବଙ୍କୁ ପଚାରିଥିଲେ ଯେ, ସାମରିକ ସଂଘର୍ଷ ସମୟରେ ପାକିସ୍ତାନ କ’ଣ ଚୀନ ନିର୍ମିତ ଉପକରଣ ବ୍ୟବହାର କରିଥିଲା?
ଏହାର ଉତ୍ତରରେ ବିକ୍ରମ ମିଶ୍ରୀ କହିଛନ୍ତି ଯେ, ଏହା କୌଣସି ଗୁରୁତ୍ୱ ରଖେ ନାହିଁ। ଭାରତୀୟ ସେନା ପାକିସ୍ତାନୀ ବାୟୁସେନା ଆଧାରଗୁଡ଼ିକୁ ଧ୍ୱଂସ କରି ଦେଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ପାଇଁ ଶ୍ରେୟ ନେବା ବିଷୟରେ ମଜାଳିଆ ଢଙ୍ଗରେ ସେ କହିଥିଲେ ଯେ, ଟ୍ରମ୍ପ ଏପରି କିଛି କରିବା ପାଇଁ ତାଙ୍କଠାରୁ ଅନୁମତି ନେଇ ନଥିଲେ। ସେ ଆହୁରି କହିଥିଲେ ଯେ, ଜମ୍ମୁ-କଶ୍ମୀର ମାମଲାରେ କୌଣସି ଦେଶକୁ ମନ୍ତବ୍ୟ ଦେବାର ଅଧିକାର ନାହିଁ।
ସେହିପରି ନିକଟରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ‘ଅପରେସନ୍ ସିନ୍ଦୂର’ ସମୟରେ ବ୍ରହ୍ମୋସ ମିସାଇଲ ପାକିସ୍ତାନୀ ବାୟୁସେନାର ମିସାଇଲକୁ ନଷ୍ଟ କରି ଦେଇଥିଲା। ତାଙ୍କ କହିବା ଅନୁସାରେ, ଏହା ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ କେବଳ ପାକିସ୍ତାନ ଅଧିକୃତ କଶ୍ମୀର ପର୍ଯ୍ୟନ୍ତ ସୀମିତ ଥିଲା। କିନ୍ତୁ ଏହି ଅପରେସନ୍ରେ ଭାରତୀୟ ସେନା ପାକିସ୍ତାନ ସୀମା ମଧ୍ୟକୁ ୧୦୦ କିଲୋମିଟର ଯାଇ ଆତଙ୍କବାଦୀ ଓ ସେମାନଙ୍କ ଠିକଣାଗୁଡ଼ିକୁ ଧ୍ୱଂସ କରିଛି।
ଅମିତ ଶାହ ଆହୁରି କହିଛନ୍ତି ଯେ, ଭାରତୀୟ ବାୟୁସେନା ଟାର୍ଗେଟ ଟୁ ଟାର୍ଗେଟ୍ ଆକ୍ରମଣ କରି ପାକିସ୍ତାନକୁ ବିଭିନ୍ନ ସ୍ଥାନରେ ବଡ଼ କ୍ଷତି ପହଞ୍ଚାଇଛି। ବାୟୁସେନା ଏପରି ସ୍ଥାନକୁ ଟାର୍ଗେଟ କରିଥିଲା, ଯାହାକୁ ପାକିସ୍ତାନ ଅଭେଦ୍ୟ ବୋଲି ଦାବି କରୁଥିଲା। ସୀମା ସୁରକ୍ଷାର ଇତିହାସ ଲେଖାଯିବ ଯେତେବେଳେ, ‘ଅପରେସନ୍ ସିନ୍ଦୂର’ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ। ପାକିସ୍ତାନ ସାରା ବିଶ୍ୱକୁ କହୁଥିଲା ଯେ ସେଠାରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ହେଉ ନାହିଁ। କିନ୍ତୁ ଏହି ଅପରେସନ୍ରେ ମିସାଇଲ ଆକ୍ରମଣ ଜରିଆରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ଏବଂ ପାକିସ୍ତାନ ବିଶ୍ୱ ଆଗରେ ଉନ୍ମୋଚିତ ହୋଇଛି।
Comments are closed.