ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଥରହର ଉତ୍ତର ଓଡ଼ିଶା। ଆକାଶରୁ ଯେମିତି କେବଳ ପାଣି ନୁହେଁ, ବରଂ ବିପଦ ଖସୁଛି। ବିଶେଷ କରି ବାଲେଶ୍ୱର ଜିଲ୍ଲା ପାଇଁ ଏହି ଲଗାଣ ବର୍ଷା ଏକ ବଡ଼ ଦୁର୍ଦ୍ଦଶା ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ରେକର୍ଡ ବର୍ଷା ହେବା ପରେ ସମଗ୍ର ବାଲେଶ୍ୱର ସହର ଏବେ ଜଳାର୍ଣ୍ଣବ। ରାସ୍ତାଘାଟରୁ ଆରମ୍ଭ କରି ଲୋକଙ୍କ ରୋଷେଇ ଘର ପର୍ଯ୍ୟନ୍ତ, ସବୁଠି ଏବେ ଲହଡ଼ି ମାରୁଛି ବର୍ଷା ପାଣି।
ଲଗାତାର ବର୍ଷା ଯୋଗୁଁ ନଦୀ ଓ ନାଳଗୁଡ଼ିକରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ସହରର ତଳିଆ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିବା କାରଣରୁ ଏକ ଅଭାବନୀୟ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୋପାଳ ଗାଁ, ନୂଆସାହି ଏବଂ ଗୁଡିପଦା ଭଳି ପ୍ରମୁଖ ଆବାସିକ ଅଞ୍ଚଳରେ ରାସ୍ତା ଉପରେ ଦୁଇରୁ ତିନି ଫୁଟ ଉଚ୍ଚର ପାଣି ସୁଅ ଛୁଟୁଛି। ଫଳରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଲୋକେ ନିଜ ଘରୁ ବାହାରିବାକୁ ଭୟ କରୁଛନ୍ତି; ଆଉ ଯେଉଁମାନେ ନିହାତି ଜରୁରୀ କାମରେ ବାହାରୁଛନ୍ତି, ସେମାନଙ୍କ ଗାଡ଼ି ରାସ୍ତା ମଝିରେ ପାଣିରେ ଫସି ରହୁଛି।
ଦୀର୍ଘ ସମୟ ଧରି ଘର ଭିତରେ ବର୍ଷା ପାଣି ଜମି ରହିବାରୁ ବହୁ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟପେୟରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ପାଣିରେ ଭିଜି ନଷ୍ଟ ହେବାକୁ ବସିଲାଣି। ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇଛନ୍ତି ସତ, କିନ୍ତୁ ବର୍ଷାର ପ୍ରକୋପ ଆଗରେ ସବୁ ପ୍ରୟାସ ଫିକା ପଡ଼ିଯାଉଛି। କେବଳ ବାଲେଶ୍ୱର ନୁହେଁ, ପଡୋଶୀ ମୟୂରଭଞ୍ଜ ଏବଂ ଭଦ୍ରକର କିଛି ଅଞ୍ଚଳରେ ମଧ୍ୟ ଏହି ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।
ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଉତ୍ତର ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଛି। ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଘନଘୋର ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନୀୟ ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଥିବା ବେଳେ, ଅତି ଜରୁରୀ କାମ ନଥିଲେ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।