Latest Odisha News

BREAKING NEWS

ବିଡିଏର ୫୨୦ କୋଟିର ଖେଳ ଏବଂ ସରକାରୀ ଫାଇଲ୍ ତଳେ ଚାପି ହୋଇଛି ସାଧାରଣ ମଣିଷର ଘର ସ୍ୱପ୍ନ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିଜର ଘର ଖଣ୍ଡିଏ ପାଇବା ପାଇଁ ଆଶା ବାନ୍ଧିଥିବା ମଧ୍ୟବିତ୍ତ ଗ୍ରାହକଙ୍କ ସ୍ୱପ୍ନ ଏବେ ପ୍ରଶାସନିକ ସ୍ଥାଣୁତା ଓ ନିୟମର ଜାଲରେ ଫସି ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ପ୍ରାୟ ୫୨୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଏବେ ଅଧାବାଟରେ ଲଟକି ପଡ଼ିଛି।

 

କୋଠାବାଡ଼ି ନିର୍ମାଣ ସରିଥିଲେ ମଧ୍ୟ କେବଳ ବାଧ୍ୟତାମୂଳକ ପରିବେଶ ମଞ୍ଜୁରୀ ମିଳିନଥିବାରୁ ଏହି ନବନିର୍ମିତ ଫ୍ଲାଟଗୁଡ଼ିକ ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରୁନାହିଁ। ଫଳରେ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଥିବା ବେଳେ ବର୍ଷ ବର୍ଷ ଧରି ଘରର ଚାବି ପାଇବାକୁ ଅପେକ୍ଷା କରିଥିବା ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 

ଏହି ପ୍ରଶାସନିକ ତ୍ରୁଟି ଯୋଗୁଁ ବିଶେଷ ଭାବେ ଦୁଇଟି ବୃହତ୍ ପ୍ରକଳ୍ପ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସୁବୁଦ୍ଧିପୁରଠାରେ ୨୦୧୮ ମସିହାରେ ଆରମ୍ଭ ହୋଇଥିବା ‘ଏକାମ୍ର ରେସିଡେନ୍ସି’ ପ୍ରକଳ୍ପ ଏଥିମଧ୍ୟରୁ ଅନ୍ୟତମ। ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ମୋଟ ୭୦୪ଟି ଫ୍ଲାଟ ରହିଛି, ଯାହାକି ୨୦୨୨-୨୩ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ଗ୍ରାହକଙ୍କୁ ମିଳିବାର ଥିଲା।

 

ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଆଜି ପର୍ଯ୍ୟନ୍ତ ଏହାର ଉଦଘାଟନ ହୋଇପାରି ନାହିଁ। ଅନୁରୂପ ଭାବେ, ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଖାରବେଳ କମ୍ପ୍ଲେକ୍ସ’ର ଅବସ୍ଥା ମଧ୍ୟ ସମାନ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB) ର କେତେକ ଆପତ୍ତି ଯୋଗୁଁ ନିର୍ମାଣ ସରିବା ପରେ ବି ପ୍ରକଳ୍ପଟି ଅନିଶ୍ଚିତତା ଘେରକୁ ଚାଲିଯାଇଛି।

 

ସାଧାରଣତଃ ଯେକୌଣସି ବୃହତ୍ ନିର୍ମାଣ କାର୍ଯ୍ୟ ପୂର୍ବରୁ ଆବଶ୍ୟକୀୟ ଆଇନଗତ ଓ ପରିବେଶ ମଞ୍ଜୁରୀ ଆଣିବା ନିୟମ ଥିବାବେଳେ, ବିଡିଏ ଭଳି ଏକ ଦାୟିତ୍ୱବାନ ସରକାରୀ ସଂସ୍ଥା କେଉଁ ଆଧାରରେ ପ୍ରଥମେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି କୋଠା ଛିଡ଼ା କଲା, ତାହାକୁ ନେଇ ଏବେ ସହରବାସୀ ପ୍ରଶ୍ନ ଉଠାଇଛନ୍ତି।

 

ଉପଯୁକ୍ତ ଯୋଜନାର ଅଭାବ ଯୋଗୁଁ ପ୍ରକଳ୍ପଗୁଡ଼ିକ ଏବେ ଆଇନଗତ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ସରକାରୀ ପ୍ରକଳ୍ପଗୁଡ଼ିକୁ ଏଭଳି ଅଯଥା ପକାଇ ରଖିବା ଦ୍ୱାରା ରାଜକୋଷର ବହୁତ ବଡ଼ କ୍ଷତି ହେଉଛି। ଲୋକଙ୍କୁ ସେମାନଙ୍କର ଫ୍ଲାଟ ଆବଣ୍ଟନ କରିଦେଲେ ସରକାରଙ୍କୁ ମଧ୍ୟ ରାଜସ୍ୱ ମିଳିପାରନ୍ତା, ମାତ୍ର ପ୍ରଶାସନର ଢିଲା ନୀତି ଯୋଗୁଁ ସବୁ କିଛି ଖତ ଖାଉଛି।

ଅନ୍ୟପଟେ, ଉକ୍ତ ପ୍ରସଙ୍ଗରେ ସଫେଇ ଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକର ପରିବେଶ ମଞ୍ଜୁରୀକୁ ନେଇ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସେ କହିଛନ୍ତି, “ବିଡିଏ ପକ୍ଷରୁ କେନ୍ଦ୍ରୀୟ ଜଙ୍ଗଲ ବିଭାଗକୁ ରିପୋର୍ଟ ମଗାଯାଇଥିଲା ଏବଂ ସେହି ରିପୋର୍ଟକୁ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଦାଖଲ କରାଯାଇ ସରିଛି। ଅଦାଲତଙ୍କ ଚୂଡ଼ାନ୍ତ ରାୟ ଆସିବା ମାତ୍ରେ ପରିବେଶ ମଞ୍ଜୁରୀ ସମସ୍ୟାର ସମାଧାନ ହୋଇଯିବ ଏବଂ ତୁରନ୍ତ ହିତାଧିକାରୀଙ୍କୁ ଫ୍ଲାଟଗୁଡ଼ିକ ଆବଣ୍ଟନ କରାଯିବ।”

ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ହେଁ, ଅଫିସିଆଲ୍ ଫାଇଲ୍ ଏବଂ କୋର୍ଟ କଚେରୀ ଚକ୍କରରେ ଜୀବନ ସାରାର ସଞ୍ଚିତ ପୁଞ୍ଜି ବିନିଯୋଗ କରିଥିବା ଗ୍ରାହକମାନେ କେବେ ନିଜ ଘରକୁ ଯିବେ, ତାହା ଏବେ ବି ଆଶଙ୍କା ଘେରରେ ରହିଛି। ପ୍ରଶାସନିକ ଉଦାସୀନତା ଓ ନିୟମାବଳୀର ଅବହେଳା ଯୋଗୁଁ ୫୨୦ କୋଟିରୁ ଅଧିକ ଟଙ୍କାର ସରକାରୀ ପୁଞ୍ଜି ଅଚଳ ହୋଇ ପଡ଼ିରହିବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ।

Leave A Reply

Your email address will not be published.