Latest Odisha News

BREAKING NEWS

ଏହି ଜିଲ୍ଲାରେ ପ୍ରବଳ ବର୍ଷା: ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି ଛୁଟି ଘୋଷଣା

ଭୁବନେଶ୍ଵର: ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି। ଅବପାତଟି ବାଂଲାଦେଶ ଖେପୁପଡ଼ା ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।

ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଟି ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି। ସେହିପରି ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲା କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ବଲାଙ୍ଗିର ଜିଲ୍ଲାରେ ଆଜି ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ଦେଇଛନ୍ତି ସ୍କୁଲ ଛୁଟି ନୋଟିସ୍‌।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର କିଛି ଅଞ୍ଚଳରେ ରାସ୍ତା ଉପରେ ୪ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ବିନିକା-ଚରଦା ରାସ୍ତାର କୋଲପଡ଼ାରେ ୪ ଫୁଟ୍‌ର ପାଣି ପ୍ରବାହିତ ଯୋଗୁଁ ଗମନାଗମନରେ ପ୍ରଭାବିତ ହୋଇଛି। ସାଧାରଣ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗତ ଦୁଇ ଦିନ ହେବ ପ୍ରବଳ ବର୍ଷାରେ ବେହାଲ ହୋଇଯାଇଛି ରାଜଧାନୀ ଅବସ୍ଥା। ଭୁବନେଶ୍ୱରରେ ଅଗଷ୍ଟ ମାସର ବର୍ଷା ୭୧ ବର୍ଷର ରେକର୍ଡ ଭାଙ୍ଗିଛି। ଆଜି ବି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତୁହାକୁ ତୁହା ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଥିବା ବେଳେ ଦିନ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସତର୍କତା ଜାରି କରାଯାଇଛି।

Leave A Reply

Your email address will not be published.