Latest Odisha News

BREAKING NEWS

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୨ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ । ମାତ୍ର ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଡ଼ିସେମ୍ବର ୨ ଓ ୩ରେ ଲଗାଣ ବର୍ଷାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆକଳନ ଅନୁସାରେ ୨୪ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଡ଼ିପ୍ରେସନରେ ପରିଣତ ହେବାର ଅନୁମାନ କରାଯାଇଛି ।

ନଭେମ୍ବର ୩୦ ଓ ଡ଼ିସେମ୍ବର ୧ରେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ୨ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ତାରିଖରୁ ବର୍ଷାର ପରିମାଣ ବଢ଼ିବ । ଲଘୁଚାପ ପ୍ରଭାବରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଢ଼େଙ୍କାନାଳ ଆଦି କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ ଗଜପତି, ଗଞ୍ଜାମ, ପୁରୀ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ୩ତାରିଖ ସକାଳ ସାଢ଼େ ୮ରୁ ୪ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏସଆରସି ପକ୍ଷରୁ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ସତର୍କ କରାଯାଇଛି । ଏହି ସମୟରେ ଉକ୍ତ ୩ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସଆରସି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଚାଷୀଙ୍କୁ ବିଲରୁ ଧାନ କାଟି ଆଣିବାକୁ ପରାମର୍ଶ ଦିଆଯାଇଛି । ମସ୍ତ୍ର୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଧାନ, ଅଣଧାନ ଫସଲ ପରିଚାଳନା ପାଇଁ ଓୟୁଏଟି ପକ୍ଷରୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଛି । ବର୍ଷା ପୂର୍ବରୁ ଧାନକେଣ୍ଡା ୮୫ପ୍ରତିଶତ ପାଚି ଯାଇଥିବାରୁ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବା, ଧାନ ଅମଳ ସମ୍ଭବ ନଥିଲେ ପଲିଥିନରେ ଘୋଡ଼ାଇବା, ବଳକା ପାଣି ନିଷ୍କାସନ ପାଇଁ ନାଳି ବ୍ୟବସ୍ଥା ଆଦି ଅନେକ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.