ଭୁବନେଶ୍ବର:ଉପକୂଳ ମୁହାଁ ହେଉଛି ବାତ୍ୟା ‘ଆକଭାନ୍’। ‘ଅକଭାନ’ ନେଇ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଉଛି । ୧୯ ଓ ୨୦ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦ ପର୍ଯ୍ୟନ୍ତ ବେଳାଭୂମି ପର୍ଯ୍ୟଟନ ବନ୍ଦ ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ଦୃଷ୍ଟିରେ ରଖି SRCଙ୍କ ପକ୍ଷରୁ ପର୍ଯ୍ୟଟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବେଳାଭୂମି ଏବଂ ପର୍ଯ୍ୟଟନ କେନ୍ଦ୍ର ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ପବନ ଓ ବର୍ଷାର ଆଶଙ୍କା ରହିଥିବାରୁ ବେଳାଭୂମିକୁ ପର୍ଯ୍ୟଟକଙ୍କ ଯାତାୟତ ଉପରେ ରୋକ୍ ଲଗାଇବାକୁ କୁହାଯାଇଛି। ଅନାବଶ୍ୟକ ଭାବେ ସମୁଦ୍ର କୂଳକୁ ନଯିବା ପାଇଁ ମଧ୍ୟ ସତର୍କ କରାଯାଇଛି।
କେବଳ ବେଳାଭୂମି ନୁହେଁ, ରାସ୍ତାଘାଟର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଆବଶ୍ୟକ ସ୍ଥାନରେ ବ୍ୟାରିକେଡ୍ ଲଗାଇବାକୁ SRC ପରାମର୍ଶ ଦେଇଛନ୍ତି। ଏଥିସହ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ସତର୍କ କରିବା ପାଇଁ ବିଭିନ୍ନ ସ୍ଥାନରେ ସତର୍କତା ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ରହିଛି। ବାତ୍ୟା ଆସିବା ପୂର୍ବରୁ ହିଁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିଛି ପ୍ରଶାସନ।
ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳ,ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ପର୍ଯ୍ୟଟନ କର୍ତ୍ତୃପକ୍ଷ, ଟୁର ଅପରେଟର, ହୋଟେଲ ଓ ରିସର୍ଟଗୁଡ଼ିକୁ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ସମ୍ବେଦନଶୀଳ ବେଳାଭୂମିରେ ପର୍ଯ୍ୟଟନ ସମେତ ସମୁଦ୍ର ସ୍ନାନ, ବୋଟିଂ, ୱାଟର ସ୍ପୋର୍ଟସ୍, ପ୍ଲେଜର କ୍ରୁଜ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ପର୍ଯ୍ୟଟନ କାର୍ଯ୍ୟକଳାପକୁ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ।ଅସୁରକ୍ଷିତ ବେଳାଭୂମି, ଜେଟି, ଉପକୂଳବର୍ତ୍ତୀ ଭ୍ୟୁଇଂ ପଏଣ୍ଟ ଏବଂ ଅନ୍ୟାନ୍ୟ ବିପଦସଙ୍କୁଳ ପର୍ଯ୍ୟଟନ ସ୍ଥଳୀକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ।
ଉପକୂଳବର୍ତ୍ତୀ ଅଞ୍ଚଳର ସମସ୍ତ ହୋଟେଲ, ରିସର୍ଟ ଓ ଟୁର ଅପରେଟରମାନେ ଅତିଥିମାନଙ୍କୁ ସତର୍କ କରାଇବା ସହ ବାହାରକୁ ବୁଲିବା କାର୍ଯ୍ୟକ୍ରମ ବାତିଲ କରିବେ । ଏହା ସହ ସ୍ଥାନାନ୍ତର କିମ୍ବା ଆଶ୍ରୟସ୍ଥଳୀ ସମ୍ବନ୍ଧୀୟ ପ୍ରଶାସନିକ ନିର୍ଦ୍ଦେଶ ପାଳନ କରିବା ଏବଂ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ମାଧ୍ୟମ ଏବଂ ପର୍ଯ୍ୟଟନ ପ୍ରତିଷ୍ଠାନଗୁଡ଼ିକ ଜରିଆରେ ବିଭିନ୍ନ ଭାଷାରେ ସ୍ପଷ୍ଟ ସୁରକ୍ଷା ପରାମର୍ଶବଳୀ ପ୍ରଚାର କରାଯିବ । ଏହା ସହିତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ଏବଂ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ସହ ନିରନ୍ତର ସମନ୍ୱୟ ରଖାଯିବ ।
ସେହିପରି, ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି ପୁରୀର ଆରାଧ୍ୟ ସ୍ଥଳୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଆସନ୍ତା ୧୯ ତାରିଖରୁ ୨୧ ପର୍ଯ୍ୟନ୍ତ (୪ ଦିନ ଧରି) ଶ୍ରୀଗୁଣ୍ଡିଚା ମନ୍ଦିରରେ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଗ ସ୍ୱାଭାବିକ ହେବା ପରେ ପୁଣିଥରେ ପୂର୍ବଭଳି ଦର୍ଶନ ବ୍ୟବସ୍ଥା ଚାଲୁ ହେବ ବୋଲି ଜଣାପଡ଼ିଛି।
ସୂଚନାଥାଉକି,ବାତ୍ୟା ‘ଆକଭାନ୍’ ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ପୂର୍ବାନୁମାନ କରଛି। ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ ଅତି ଭୀଷଣ ବାତ୍ୟାର ସମ୍ଭାବନା ଟଳିଥିଲେ ମଧ୍ୟ ଭୀଷଣ ବାତ୍ୟା ରୂପ ଧାରଣ କରି ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଏନେଇ ଆସନ୍ତାକାଲି ୧୯ ତାରିଖ ଏବଂ ତା ପରଦିନ ୨୦ ତାରିଖ ପାଇଁ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
