Latest Odisha News

BREAKING NEWS

ଏପ୍ରିଲ୍ ୨୯ରେ ଲଘୁଚାପ ସମ୍ଭାବନା…

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଥିବା ବେଳେ ଏବେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ରହିଥିବାର ପୂର୍ବାନୁମାନ କରାଯାଇଛି ।

ଏହି ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ଅନୂଭୁତ ହେବ । ଏହି ଲଘୁଚାପ ପ୍ରଭାବରେ ପଶ୍ଚିମ ଉପକୂଳ ତଥା ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବ । ଏହି ଲଘୁଚାପ ମିଆଁମାର ଉପକୂଳରେ କ୍ରମେ ଘୂର୍ଣ୍ଣିଝଡ଼ର ରୂପ ନେବାର ସମ୍ଭାବନା ରହିଛି ।

ଏହାଫଳରେ ଆଣ୍ଡାମାନ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ କ୍ରମେ ଘନିଭୂତ ହେବା ପରେ ହିଁ ଏହାର ପ୍ରଭାବ ସମ୍ପର୍କରେ ପୂର୍ବାନୁମାନ କରିହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃଷ୍ଟିପାତର ରେକର୍ଡ଼ କରାଯାଇଛି । ରାଜ୍ୟର ଫୁଲବାଣୀରେ ୬୩.୨ ମିଲି ମିଟର, ଚାନ୍ଦବାଲିରେ ୬୧.୯ ମି.ମି., କେନ୍ଦୁଝରରେ ୩୯.୫ ମି.ମି, କଟକରେ ୨୭ ମି. ମି, ତାଳଚେରରେ ୨୧ ମି. ମି, ଦାରିଙ୍ଗୀବାଡ଼ିରେ ୨୧ ମି. ମି, ବାରିପଦାରେ ୧୮ ମି. ମି, ବାଲେଶ୍ୱରରେ ୧୬.୫ ମି. ମି, ଝାରସୁଗୁଡ଼ାରେ ୧୨.୮ ମି. ମି, ନୟାଗଡ଼ରେ ୧୨.୨ ମି. ମି, ରାୟଗଡ଼ାରେ ୧୦ ମି. ମି, ବୌଦ୍ଧରେ ୭ ମି. ମି, ଛତ୍ରପୁରରେ ୭ ମି. ମି, ଭୁବନେଶ୍ୱରରେ ୬.୯ ମିଲିମିଟର, ପାରାଦୀପରେ ୬.୩ ମି. ମି ଏବଂ ବଲାଙ୍ଗୀରରେ ୫ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି ।

ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଥିବା ଯୋଗୁଁ ତାପମାତ୍ରା ସ୍ୱାଭାବିକ ଭାବେ ହ୍ରାସ ପାଇଛି । ତେବେ ଟିଟିଲାଗଡ଼ ଏବଂ ମାଲକାନଗିରିରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଅବଶିଷ୍ଟ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀରୁ କମ୍ ରହିଥିବା ଜଣାପଡ଼ିଛି ।

Comments are closed.