କେନ୍ଦୁଝର: ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଏବେ ପାର୍ବତ୍ୟାଞ୍ଚଳରେ ଭୁସ୍ଖଳନ ଏକ ନୂଆ ବିପଦ ଭାବେ ଉଭା ହୋଇଛି । କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଏକ ଭୟଙ୍କର ଭୁସ୍ଖଳନ ଦେଖିବାକୁ ମିଳିଛି । ପାହାଡ଼ ଉପରୁ ମାଟି, ବିରାଟକାୟ ପଥର ଅତଡ଼ା ଏବଂ ବଡ଼ ବଡ଼ ଗଛ ଉପୁଡ଼ି ଖସିପଡ଼ିବା ଫଳରେ ସ୍ଥାନୀୟ ଜାତୀୟ ରାଜପଥ ଗୁରୁତର ଭାବେ ଅବରୋଧ ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ଏହି ଏକା ସ୍ଥାନରେ ଦୁଇ ଦୁଇ ଥର ଭୁସ୍ଖଳନ ଘଟିବା କାରଣରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରଥମେ ପାହାଡ଼ର ଏକ ଅଂଶ ଖସିପଡ଼ିବାରୁ ରାଜପଥ ଅବରୋଧ ହୋଇଥିଲା। ଏହା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯାଇଥିଲା । କିନ୍ତୁ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ପୁଣି ପ୍ରବଳ ବର୍ଷା ଯୋଗୁଁ ସମାନ ସ୍ଥାନରେ ଆଉ ଏକ ବଡ଼ ଭୁସ୍ଖଳନ ଘଟିଥିଲା । ଫଳରେ ରାତି ତମାମ୍ ଉକ୍ତ ରାସ୍ତାରେ ସମସ୍ତ ପ୍ରକାରର ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଶନିବାର ସକାଳୁ ଟ୍ରାଫିକ୍ ସମସ୍ୟାକୁ କିଛି ମାତ୍ରାରେ କମାଇବା ପାଇଁ ରାସ୍ତାର ଗୋଟିଏ ପାର୍ଶ୍ୱ ଦେଇ ଗାଡ଼ିମୋଟର ଯାତାୟାତ ପାଇଁ ଅସ୍ଥାୟୀ ଭାବେ ଅନୁମତି ଦିଆଯାଇଛି।
ରାଜପଥରୁ ମାଟି ଓ ପଥର ଅତଡ଼ା ହଟାଇବା ପାଇଁ ଏନ୍ଏଚ୍ଏଆଇ ପକ୍ଷରୁ ବର୍ତ୍ତମାନ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ରାସ୍ତା ସଫେଇ ପାଇଁ ୨ଟି ଜେସିବି ମେସିନ୍ ଏବଂ ୨ଟି ହାଇଭା ଟ୍ରକ୍ ନିୟୋଜିତ କରାଯାଇଛି । ତେବେ ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଥିବାରୁ ନୂଆ ମାଟି ଓ ପଥର ଖସିବାରେ ଲାଗିଛି। ଫଳରେ ଉଦ୍ଧାର ଏବଂ ରାସ୍ତା ସଫେଇ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ହେଉଛି ବୋଲି NHAI ର ରକ୍ଷଣାବେକ୍ଷଣ ପରିଚାଳକ ପ୍ରଦୀପ କୁମାର ରଣସିଂହ ସୂଚନା ଦେଇଛନ୍ତି।
ଏହି ଘଟଣା ପରେ ସେହି ବାଟ ଦେଇ ଯାତାୟାତ କରୁଥିବା ଶହ ଶହ ଯାତ୍ରୀ ଏବଂ ମାଲବାହୀ ଟ୍ରକ୍ ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
