ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି। ହଠାତ ରାତି ଅଧରେ କିଛି ସମୟ ପାଇଁ ଘଡଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା। ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ।
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ସେହିପରି ମଧ୍ୟରାତ୍ରିରେ ଟ୍ୱିନ୍ସିଟିରେ କାଳବୈଶାଖୀର ତାଣ୍ଡବ ରଚିଥିଲା। ମଝି ରାତିରେ କଟକ ଓ ଭୁବନେଶ୍ୱରରେ ବର୍ଷା ବିତ୍ପାତ ନାକେଦମ୍ କରିଥିଲା। କାଳବୈଶାଖୀ ପ୍ରଭାବରେ ମୂଷଳଧାରାରେ ବର୍ଷିଲା। କିଛି ସମୟ ଭିତରେ ରାଜଧାନୀର ତାପମାତ୍ରା ୮.୩ ଡିଗ୍ରୀ ଖସି ଯାଇଥିଲା। କେବଳ ତଳିଆ ଅଞ୍ଚଳ ନୁହେଁ ରାଜଧାନୀର ପ୍ରମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚାରେ ପାଣି ଚାଲିଲା। ନୂଆପଲ୍ଲୀ ଅଞ୍ଚଳ ପାଣିରେ ଉବୁଟୁବୁ ହେଲା। ଅନ୍ଧାରରେ ରାତି ପାହିଲା।
୬୦ରୁ ୭୦ କିମି ବେଗରେ ବହିଲା ପବନ। ରାଜଧାନୀରେ ଭାଙ୍ଗିଲା ଗଛ, ଭୁଶୁଡିଲା ପାଚେରୀ। ପାଣିପାଗ ସୂଚନା ଅନୁସାରେ ଭୁବନେଶ୍ୱରରେ ସର୍ବାଧିକ ୭୬.୮ ମିମି ବର୍ଷା ହୋଇଥିବା ସୂଚନା ରହିଛି। ସେହିପରି ପାରାଦୀପରେ ୫୧.୪ ମିମି ଓ ପୁରୀରେ ୩୭.୮ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୩୫ ମିମି ଓ ଚାନ୍ଦବାଲିରେ ୩୨ ମିମି ବର୍ଷା ହୋଇଥିବା ସୂଚନା ରହିଛି। ଅପରପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.