ଭୁବନେଶ୍ୱର: ରାଜ୍ୟରେ ବଢ଼ଚାଲିଛି ଖରାର ପ୍ରକୋପ । ଯାହା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ହିଟ୍ ଓ୍ବେଭ୍ ଜାରି ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି । ଶନିବାର ଝାରସୁଗୁଡା ଏବଂ ସମ୍ବଲପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେର୍ଡ ଆଲର୍ଟ ଜାରି କରାଯାଇଛି ।
ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାନେଇ ସୂଚନା ଦିଆଯାଇଛି । କେନ୍ଦୁଝର, ଢ଼େଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ରବିବାର କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବାବେଳେ, ସୋମବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି ।
ସୂଚନା ଅନୁସାରେ, ଶୁକ୍ରବାର ରାଜ୍ୟର ୧ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ୪୦.୬ ଡିଗ୍ରୀ ସହିତ ଝାରସୁଗୁଡା ପୁଣି ଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ।