ମାର୍ଥାପୁର : କଲମ ଧରିବା ବୟସରେ ପରିବାରର ବୋଝ । ଜୀବନର କଷଟି ପଥର ଭିତରେ ଚାପି ହୋଇ ଯାଇଛି ତିନି ନିରୀହ ଅନାଥ ଶିଶୁଙ୍କ ଭାଗ୍ୟ । ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଏହି ତିନି ନିରୀହ, ନିଷ୍ପାପ ଅନାଥ ଶିଶୁ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ଗାଁର ତିନି ଅନାଥ ଶିଶୁ ସ୍ବର୍ଣ୍ଣଲତା ,ସୁଶ୍ରୀସଙ୍ଗୀତା ଏବଂ ସତ୍ୟବ୍ରତ । ଏହି ତିନି ଅନାଥ ଶିଶୁଙ୍କର ମାଆ କୁନି ସେଠୀ ଆଜକୁ ୬ ବର୍ଷ ତଳେ କ୍ୟାନ୍ସର ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ । ବାପା ବଳରାମ ସେଠୀ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇ କେଉଁ ଆଡେ ଚାଲିଗଲେ । ପାଠ ପଢିବା ପାଇଁ ବହୁ ଆଶା ଓ ଆକାଂକ୍ଷା ରହିଥିଲେ ମଧ୍ୟ ଗରିବୀ ଜୀବନ ସାଙ୍ଗକୁ ପରିବାରର କଷ୍ଟ ସବୁ କିଛିକୁ ଓଲଟ ପାଲଟ କରି ଦେଇଥିଲା । ଯାହାକୁ ନେଇ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ।
୧୧ ବର୍ଷ ବୟସର କୁନି ପିଲା ଦୁଇ ଭଉଣୀଙ୍କ ପେଟରେ ମୁଠାଏ ଦାନା ଦେବାପାଇଁ ଟ୍ରଲି ଟାଣୁଛନ୍ତି । ଯେଉଁ ପିଠି ବସ୍ତାନୀ ବୋହିବାର ପିଠି ସେହି ପିଠିରେ କଷ୍ଟର ବୋଝକୁ ବୋହିବାକୁ ପଡୁଛି । ୧୧ ବର୍ଷର ପିଲା ରୋଜଗାର କରି ପରିବାର ଚଳାଉଛି । ଏ କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ । ସେଇଥିରେ ଚଳୁଛନ୍ତି ତିନି ଅନାଥ ଶିଶୁ । ଏବେ ବଞ୍ଚିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଏହି ଶିଶୁ । ଏ ନେଇ ବ୍ଲକ ପ୍ରଶାସନ ସହ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ସ୍ଥାନୀୟ ସରପଞ୍ଚ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ବହୁ କଷ୍ଟରେ ଜୀବନ ବିତାଉଥିବା ତିନି ବାପା ମାଆ ଛେଉଣ୍ଡ ଅନାଥ ଶିଶୁଙ୍କ ପାଇଁ ସରକାରଙ୍କର ସହଯୋଗ ଏକାନ୍ତ ଲୋଡ଼ା ହୋଇ ପଡିଛି ।
Comments are closed.