Latest Odisha News

BREAKING NEWS

ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ପରେ କେଉଁ ନେତା କ’ଣ କହିଲେ, ଜାଣନ୍ତୁ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କିଏ କ’ଣ କହିଲେ ଜାଣନ୍ତୁ ।

ନବୀନ ପଟ୍ଟନାୟକ
ଏହି ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥିବାରୁ ପାଟକୁରାବାସୀଙ୍କୁ ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି । ପାଟକୁରାର ସର୍ବାଙ୍ଗୀନ ଉନ୍ନତି ଲାଗି ଆମେ ବିକାଶମୂଳକ କାର୍ଯ୍ୟ ଜାରି ରଖିବୁ ।

ସାବିତ୍ରୀ ଅଗ୍ରୱାଲା (ବିଜେଡ଼ି ପ୍ରାର୍ଥୀ)
ମୋର ଏହି ସଫଳତା ଲାଗି ମୁଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଉଛି ଏବଂ ମୋ ଉପରେ ଭରସା ରଖି ପ୍ରାର୍ଥୀ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ମୋତେ ସେମାନଙ୍କର ନେତା ଭାବେ ନିର୍ବାଚିତ କରିଥିବାରୁ ମୁଁ ମୋ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଦଳୀୟ କର୍ମୀମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ ଲାଗି ଧନ୍ୟବାଦ ଅର୍ପଣ କରୁଛି ।

ବିଜୟ ମହାପାତ୍ର (ବିଜେପି ପ୍ରାର୍ଥୀ)
ପାଟକୁରା ନିର୍ବାଚନ ଫଳାଫଳରେ ମୁଁ ଆଶ୍ଚର୍ଯ୍ୟ ଚକିତ । ମାତ୍ର ଏକ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ଜନମତକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ । ଏହି ଫଳାଫଳ ପଛରେ ରହିଛି କେତେକ କାରଣ । ଶାସକ ଦଳ ଯେଉଁପରି ଭାବେ ଅର୍ଥ ଓ ବାହୁବଳକୁ ମାଧ୍ୟମ କରି ଯେପରି ଶାସନକଳର ସାହାଯ୍ୟ ନେଇଛି ତାହାର ତର୍ଜମା କରାଯିବା ଉଚିତ । ଶାସନକଳର ଦୂରୁପଯୋଗ କରାଯାଇ ଘରକୁ ଘର ଟଙ୍କା ବଣ୍ଟାଯାଇଛି ।

ଜୟନାରାୟଣ ମିଶ୍ର (ବିଜେପି)
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ, କାରଣ ବିଜେଡ଼ି ଯେପରି ଭାବେ ଅର୍ଥ ଓ ବାହୁବଳ ଦ୍ୱାରା ପାଟକୁରା ନିର୍ବାଚନରେ ବିଜୟ ହାସଲ କରିଛି । ଯେଉଁପରି ଭାବେ ବିଜେଡ଼ି ଏହି ନିର୍ବାଚନ ଲଢିଥିଲା ଏହାକୁ ବିପୁଳ ବିଜୟ ହାସଲ କରିପାରିଥାନ୍ତା ।

ତାରାପ୍ରସାଦ ବାହିନୀପତି (କଂଗ୍ରେସ ମୁଖ୍ୟ ସଚେତକ)
ସରକାରୀ ଶାସନକଳକୁ ଦୁରୁପଯୋଗ କରି ତଥା ଟଙ୍କା ବାଣ୍ଟି ବିଜେଡ଼ି ଏହି ନିର୍ବାଚନ ଜିତିଛି, ଏହା ବଡ଼କଥା ନୁହେଁ । ବିଜେଡ଼ି ନେତାମାନେ ପୂର୍ବରୁ କହୁଥିଲେ ଯେ, ଆମେ ଏହି ନିର୍ବାଚନକୁ ୩୦,୦୦୦ ରୁ ୩୫,୦୦୦ ଭୋଟ ବ୍ୟବଧାନରେ ଜିତିବୁ । ମାତ୍ର ସ୍ୱଳ୍ପ ବ୍ୟବଧାନ ରହିଛି ।

ଅରୁଣ ସାହୁ (ବିଜେଡ଼ି)
ଲୋକସଭା ନିର୍ବାଚନରେ ପାଟକୁରାରେ ବିଜେଡ଼ିର ବିଜୟ ଭୋଟ ବ୍ୟବଧାନ ୬୦୦୦ ଥିଲା । ଆମେ ଏହି ବିଜୟ ବ୍ୟବଧାନକୁ ବୃଦ୍ଧି କରିବାକୁ ଚାହୁଁଥିଲୁ ଏବଂ ଏହି ବିଧାନସଭା ନିର୍ବାଚନରେ ତିନିଗୁଣା ଅଧିକ ବିଜୟ ବ୍ୟବଧାନରେ ଜିତିଛୁ । ଏହାଦ୍ୱାରା ପ୍ରମାଣିତ ହେଉଛି ଯେ, ଆମକୁ ଅଧିକ ସଂଖ୍ୟାରେ ଜନସାଧାରଣ ସମର୍ଥନ କରୁଛନ୍ତି ।

Leave A Reply

Your email address will not be published.