Latest Odisha News

BREAKING NEWS

First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ

ଭୁବନେଶ୍ବର:ମାତ୍ର ଦୁଇ ପୃଷ୍ଠାର ଖବରକାଗଜ, ଯିଏ ଦିନେ ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ। ଜଣେ ସାମ୍ବାଦିକଙ୍କ କଲମକୁ ଡରିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ !ଆଜକୁ ପ୍ରାୟ ୨୪୬ ବର୍ଷ ତଳର କଥା। ୨୯ ଜାନୁଆରୀ ୧୭୮୦। କଲିକତାରୁ ପ୍ରକାଶ ପାଇଥିଲା ଦେଶର ପ୍ରଥମ ସାପ୍ତାହିକ ଖବରକାଗଜ, ଯାହାର ନାଁ ଥିଲା ‘ବେଙ୍ଗଲ ଗେଜଟ୍’ ବା ‘ହିକ୍କିସ୍ ଗେଜଟ୍’ । ଏହାର ପ୍ରତିଷ୍ଠାତା ଥିଲେ ଆୟରଲ୍ୟାଣ୍ଡର ସାମ୍ବାଦିକ ଜେମ୍ସ ଅଗଷ୍ଟସ୍ ହିକ୍କି। ଯେତେବେଳେ ସୂଚନା ଉପରେ କେବଳ ଶାସକଙ୍କ ଅଧିକାର ଥିଲା, ସେ ସମୟରେ ହିକ୍କିଙ୍କ ଦୁଇ ପୃଷ୍ଠାର ଏହି କାଗଜ ଗଣମାଧ୍ୟମ ଦୁନିଆରେ ଏକ ବଡ଼ ବିପ୍ଳବ ଆଣିଥିଲା ।

ହିକ୍କିଙ୍କ କଲମ କେବଳ ଖବର ଛାପୁନଥିଲା, ବରଂ ବ୍ରିଟିଶ ଅଫିସରଙ୍କ ମୁଖା ଖୋଲି ଦେଉଥିଲା। ଇଷ୍ଟ୍ ଇଣ୍ଡିଆ କମ୍ପାନୀର ବଡ଼ ବଡ଼ ଅଧିକାରୀଙ୍କ ଦୁର୍ନୀତି ଏବଂ ସେମାନଙ୍କର ଭୁଲ ନୀତିକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ସେ କେବେ ପଛାଇ ନଥିଲେ। ସେ ସ୍ଥାପନ କରିଥିଲେ ‘ପ୍ରେସ୍ ସ୍ୱାଧୀନତା’ର ମୂଳଦୁଆ। କିନ୍ତୁ ଏହି ନିର୍ଭୀକତା ଇଂରେଜ ସରକାରଙ୍କୁ ଆଦୌ ପସନ୍ଦ ଆସିନଥିଲା।
ହିକ୍କିଙ୍କୁ ବାରମ୍ବାର ଚେତାବନୀ ଦିଆଗଲା, ଜୋରିମାନା ମଧ୍ୟ କରାଗଲା, ଏପରିକି ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଲା। ସରକାରୀ ଚାପ ଏତେ ବଢ଼ିଲା ଯେ, ମାତ୍ର ଦୁଇ ବର୍ଷରେ ଅର୍ଥାତ୍ ୧୭୮୨ରେ ତାଙ୍କ ପ୍ରିଣ୍ଟିଂ ପ୍ରେସ୍‌କୁ ଜବତ କରାଗଲା। ଭାରତର ପ୍ରଥମ ଖବରକାଗଜ ସବୁଦିନ ପାଇଁ ବନ୍ଦ ହୋଇଗଲା ।

ହିକ୍କିଙ୍କ ବେଙ୍ଗଲ ଗେଜେଟ୍ ଖବରକାଗଜ ଆଜି ନାହିଁ ସତ, କିନ୍ତୁ ସେ ସାମ୍ବାଦିକତାର ଯେଉଁ ମଶାଲ୍ ଜାଳିଦେଇଯାଇଛନ୍ତି, ତାହା ଆଜି ବି ଭାରତୀୟ ସାମ୍ବାଦିକତାକୁ ବାଟ ଦେଖାଉଛି। ଏହି ଐତିହାସିକ ଖବରକାଗଜର ମୂଳ କପି ଆଜି ବି ଲଣ୍ଡନର ବ୍ରିଟିଶ ଲାଇବ୍ରେରୀରେ ସୁରକ୍ଷିତ ରହିଛି।

 

Leave A Reply

Your email address will not be published.