Latest Odisha News

ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ: ଛାତ୍ରୀନିବାସ ବାଥରୁମରେ ଲାଗିଥିଲା କ୍ୟାମେରା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ । ଝିଅଙ୍କ ହଷ୍ଟେଲ ବାଥରୁମରେ ଲାଗିଥିଲା ଲୁକ୍କାୟିତ କ୍ୟାମେରା । କ୍ୟାମେରାରେ କଏଦ ଭିଡିଓ ସେୟାର ହୋଇ ଚାଲିଥିଲା ବିକ୍ରି । ଘଟଣା ସାମ୍ନାକୁ ଆସିବା ପରେ ବିରୋଧ ପ୍ରଦର୍ଶନ କରିଛନ୍ତି ଛାତ୍ରୀ । ଅପରପକ୍ଷରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଜଣେ ଛାତ୍ରକୁ ହେପାଜତରେ ନେଇ ପଚରାଉଚରା ଜାରି କରିଛି ।

ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲା ସ୍ଥିତ ଗୁଡଲାଭାଲେରୁ ଇନଞ୍ଜିନିୟରିଂ କଲେଜରେ କିଛି ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।  ଉକ୍ତ କଲେଜରେ ଛାତ୍ରୀ ନିବାସରେ ଗୁପ୍ତ କ୍ୟାମେରା ଠାବ ହୋଇଛି । ବାଥରୁମ ଯାଇଥିବା ସମୟରେ ଜଣେ ଛାତ୍ରୀଙ୍କର କ୍ୟାମେରା ଉପରେ ନଜର ପଡିବାରୁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ପରେ ଏହାର ଯାଞ୍ଚ ପରେ ଜଣାପଡିଥିଲା ଯେ, ଏହି କ୍ୟାମେରାରେ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ କରାଯାଇ କିଛି ଫୁଟେଜ ଛାତ୍ରବାସକୁ ସେୟାର ହୋଇଛି । ବାଥ୍‌ରୁମରୁ ଜବତ ହୋଇଥିବା ଗୁପ୍ତ କ୍ୟାମେରାରୁ ୩ଶହରୁ ଅଧିକ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ କରାଯାଇଛି । ଯାହା ବିକ୍ରି କରାଯାଉଥିଲା ବୋଲି ସୂଚନା ମିଳିଛି ।

ଯାହା ଜାଣିବା ପରେ ରାସ୍ତାକୁ ଓହ୍ଲାଇଥିଲେ ଶହ ଶହ ଛାତ୍ରୀ  । ବିରୋଧ ପ୍ରଦର୍ଶନ କରି ଆମେ ନ୍ୟାୟ ଚାହୁଁ, ଆମେ ନ୍ୟାୟ ଚାହୁଁ ନାରା ଲଗାଇଛନ୍ତି । ସେମାନଙ୍କ ଦାବି ଅନୁଯାୟୀ, ଛାତ୍ରୀବାସର ପ୍ରାଇଭେସି ଭଙ୍ଗ କରିବା ଏବଂ ଆପତ୍ତିଜନକ ଭିଡିଓ ଫୁଟେଜ ସେୟାର କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଛାତ୍ରୀମାନଙ୍କ ବିରୋଧ ପରେ ପୋଲିସ୍ ତତ୍ପରତା ଦେଖାଇ ଏହି ମାମଲାରେ ଜଣେ ବି.ଟେକ୍ ଛାତ୍ରଙ୍କ ସଂପୃକ୍ତି ନେଇ ତାଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ।

Comments are closed.