Latest Odisha News

କଳାହାଣ୍ଡିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ବର : କଳାହାଣ୍ଡି ମେଡିକାଲ କଲେଜ ଓ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରି କରୋନାର ସମ୍ଭାବ୍ୟ ତୃତୀୟ ଲହରର ସଂକ୍ରମଣର ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥିସହ ସ୍ବାସ୍ଥ୍ୟ, ଜଳସେଚନ ଓ ଶିକ୍ଷା ସମ୍ପର୍କିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି ।

ଏହି ଅବସରରେ ଉତକେଲା ବିମାନବନ୍ଦରରେ ପହଞ୍ଚି ବିମାନ ବନ୍ଦରର ବିକାଶ ନେଇ ସମୀକ୍ଷା କରିଛନ୍ତି । ଖୁବଶୀଘ୍ର ଭବାନୀପଟଣାରୁ ଭୁବନେଶ୍ବର ଓ ରାୟପୁରକୁ ବାଣିଜ୍ୟିକ ଉଡାଣ ଆରମ୍ଭ ହେବ । ଏହାପରେ ଭବାନୀପାଟଣାରେ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ବଲାଙ୍ଗୀର-କେସିଙ୍ଗା ୨୨୦ କେଭି ବିଦ୍ୟୁତ ଲାଇନ କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଓପିଟିସିଏଲ ଓ ଜଙ୍ଗଲ ବିଭାଗକୁ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମତି ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ କାର୍ଯ୍ୟକ୍ଷମ ହୋଇଥିବା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ସମୟରେ ସମସ୍ତ ହିତାଧିକାରୀ ଯେପରି ଏହାର ସୁବିଧା ପାଇବେ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ଏମ.ରାମପୁରଠାରେ ସାଣ୍ଡୁଲ ଜଳସେଚନ ପ୍ରକଳ୍ପ ଓ ଅନ୍ୟ ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନେଇ ମଧ୍ୟ ସମୀକ୍ଷା ହୋଇଥିଲା । ଆସନ୍ତା ୬ ମାସ ମଧ୍ୟରେ ଭବାନୀପାଟଣା ନୂଆ ବସଷ୍ଟାଣ୍ଡ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ନର୍ଲା ରେଳବାଇ ଲୋକୋ ସେଡ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ଟି ହାଇସ୍କୁଲର ବିକାଶ ଦାୟିତ୍ବ ଏହାର ପୂରାତନ ଛାତ୍ର, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ହାତକୁ ନେଇଛନ୍ତି । ଏହିକ୍ରମରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଭବାନୀପାଟଣା ବି.ଏମ. ହାଇସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ଓ 5T ସଚିବଙ୍କ ସହ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, କଳାହାଣ୍ଡି ଜିଲ୍ଲାପାଳ, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.