Latest Odisha News

ଡାକ୍ତରଙ୍କ ପ୍ରତିବାଦ ବେଳେ ରାତି ଅଧରେ କୋଲକାତାରେ ହାଇ ଡ୍ରାମା, ବାଦ ପଡିଲେନି ପୋଲିସ

କୋଲକାତା: ବୁଧବାର ମଧ୍ୟରାତ୍ରିରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ଏଠାରେ ପ୍ରତିବାଦ ସମୟରେ ହଠାତ୍ ଆନ୍ଦୋଳନକାରୀମାନେ ହସ୍ପିଟାଲରେ ପ୍ରବେଶ କରି ହଇଚଇ ସୃଷ୍ଟି କରିଥିଲେ। ଜରୁରୀକାଳୀନ ୱାର୍ଡକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଡାକ୍ତର ଓ କର୍ମଚାରୀଙ୍କୁ ମାଡ ମରାଯାଇଛି। ପୋଲିସ ଉପରକୁ ପଥରମାଡ କରିଥିଲେ ବିକ୍ଷୋଭକାରୀ। ଡାକ୍ତରଙ୍କ ପ୍ରତିବାଦ ବେଳେ ରାତି ଅଧରେ କୋଲକାତାରେ ହାଇ ଡ୍ରାମା କରିଛନ୍ତି ବିକ୍ଷୋଭକାରୀ।

ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ମଧ୍ୟରାତ୍ରିରେ କୋଲକାତାର ଏହି ହସ୍ପିଟାଲରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଟ୍ରେନି ଡାକ୍ତର ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତଙ୍କ ପାଇଁ ନ୍ୟାୟ ଦାବିରେ ବିଳମ୍ବିତ ରାତିରେ ବଙ୍ଗଳାର ଅନେକ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୋଲକାତାର ଆର.ଜି କର ହସ୍ପିଟାଲରେ ମଧ୍ୟ ଏହିପରି ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଡାକ୍ତରଖାନାରେ ଏକ ବିରାଟ ଉତ୍ତେଜନା ଆରମ୍ଭ ହୋଇଥିଲା। ଅନିୟନ୍ତ୍ରିତ ଜନତା ବ୍ୟାରିକେଡ୍ ଭାଙ୍ଗି ଡାକ୍ତରଖାନା ଭିତରକୁ ପ୍ରବେଶ କଲେ। ଜରୁରୀକାଳୀନ ୱାର୍ଡଠାରୁ ଆରମ୍ଭ କରି ଡାକ୍ତରଖାନାର ଅନେକ ସ୍ଥାନ ପର୍ଯ୍ୟନ୍ତ ବ୍ୟାପକ ଭଙ୍ଗାରୁଜା କଲେ।

ସେଠାରେ ଉପସ୍ଥିତ ଥିବା ଡାକ୍ତରମାନଙ୍କୁ ମଧ୍ୟ ମାଡ ମରାଯାଇଥିଲା। ଭିଡ଼କୁ ଏଡାଇବା ପାଇଁ ମହିଳାମାନେ ଲେଡିଜ୍ ହଷ୍ଟେଲର ଏକ କୋଠରୀରେ ଲୁଚି ରହିଥିଲେ। ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ପଥର ମାଡ ହୋଇଥିଲା। ପୋଲିସର ଗାଡି ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଏହି ହିଂସାରେ ପ୍ରାୟ ୫୦ ଜଣ ପୋଲିସ ଆହତ ହୋଇଛନ୍ତି। ଏହି ଉତ୍ତେଜନା ଏତେ ବଢିଗଲା ଯେ କୋଲକାତା ପୋଲିସ କମିଶନରଙ୍କୁ ମଧ୍ୟରାତ୍ରିରେ ଡାକ୍ତରଖାନାରେ ପହଞ୍ଚିବାକୁ ପଡିଲା। ଖରାପ ଅବସ୍ଥାକୁ ଅନୁଧ୍ୟାନ କରିବା ପାଇଁ କୋଲକାତା ପୋଲିସ କମିଶନର ମଧ୍ୟ ରାତି ପ୍ରାୟ ୨ଟା ସମୟରେ ଡାକ୍ତରଖାନାରେ ପହଞ୍ଚି ବୁଝାସୁଝା କରିବା ପରେ ଘଟଣା କୌଣସି ପ୍ରକାରେ ଶାନ୍ତ ହେଲା।

Comments are closed.