ପୁରୀ: ଗୋପ ବ୍ଳକ ପରିସରରେ ଗୁରୁବାର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି, ଯେତେବେଳେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଗାଡି ଆଗରେ ଶୋଇ ନ୍ୟାୟ ପାଇଁ ଆକୁଳ ନିବେଦନ କରିଥିଲେ। ଏହି ଦୃଶ୍ୟକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ ଜମିଥିଲା।
ମହିଳା ଜଣକ କାକଟପୁର ଥାନା ଅନ୍ତର୍ଗତ ରାଇସା ଗ୍ରାମର ରାଜଲକ୍ଷ୍ମୀ ବିଶ୍ୱାଳ ବୋଲି ଜଣାପଡିଛି। ରାଜଲକ୍ଷ୍ମୀଙ୍କ ଅଭିଯାଗ ଅନୁଯାୟୀ, ଗୋପ ଥାନା ଅନ୍ତର୍ଗତ ମାହିନୀପୁର ଗ୍ରାମର ତାଙ୍କ ସ୍ୱାମୀ ରାଜକିଶୋର ବିଶ୍ୱାଳ ଦୀର୍ଘ 35 ବର୍ଷ ଧରି ତାଙ୍କ ସହିତ ଠକେଇ ଓ ବେଆଇନ କାମ କରିଆସୁଛନ୍ତି। ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ଆଉ ତାଙ୍କର ସମସ୍ତ ମୂଲ୍ୟବାନ ସୁନା ଅଳଙ୍କାର ଦ୍ବିତୀୟ ପତ୍ନୀ ହାତରେ ଦେଇଦେଇଛନ୍ତି ବୋଲି ସେ କହିଛନ୍ତି। ରାଜଲକ୍ଷ୍ମୀ ତାଙ୍କ ଜିନିଷପତ୍ର ଫେରାଇ ଦେବାକୁ ଦାବି କରିବା ସହ ତାଙ୍କ ଭରଣପୋଷଣ ପାଇଁ ଆର୍ଥିକ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।
ରାଜଲକ୍ଷ୍ମୀ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ମଦ ପିଇବାକୁ ବାଧ୍ୟ କରୁଥିଲେ ଏବଂ ବେଆଇନ କାମରେ ଲିପ୍ତ ରହୁଥିଲେ, ଯାହା ଫଳରେ ଶେଷରେ ସେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ବର୍ଷ ବର୍ଷ ଧରି ବିଭିନ୍ନ ଥାନା ଓ କୋର୍ଟ ମାଧ୍ୟମରେ ନ୍ୟାୟ ପାଇବା ପାଇଁ ଉଦ୍ୟମ କରି ମଧ୍ୟ ସୁଫଳ ନମିଳିବାରୁ ନିରାଶ ହୋଇ ନ୍ୟାୟ ପାଇଁ ଶେଷ ନିବେଦନ ଭାବେ ସ୍ୱାମୀଙ୍କ ଗାଡ଼ି ଆଗରେ ଶୋଇପଡ଼ିଥିଲେ।
ଏହି ଦମ୍ପତିଙ୍କର ଗୋଟିଏ ପୁଅ ଅଛି, ଯିଏ ବର୍ତ୍ତମାନ ରାଜଲକ୍ଷ୍ମୀଙ୍କ ସହ ରହୁଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବରେ ରାଜକିଶୋର ସମସ୍ତ ଦାବିକୁ ଖଣ୍ଡନ କରି କେବଳ ରାଜଲକ୍ଷ୍ମୀ ତାଙ୍କ ପତ୍ନୀ ବୋଲି ସ୍ୱୀକାର କରିଛନ୍ତି। ଅନ୍ୟ ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।
ରାଜକିଶୋରଙ୍କ କହିବାନୁସାରେ, ରାଜଲକ୍ଷ୍ମୀ ତାଙ୍କୁ ଅନେକ ବର୍ଷ ପୂର୍ବରୁ ଛାଡ଼ି ଚାଲିଯାଇଥିଲେ, ଏବଂ ବର୍ତ୍ତମାନ ସେମାନଙ୍କ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ରହିଛି। ରାଜଲକ୍ଷ୍ମୀ ମୋତେ ବଦନାମ କରିବା ପାଇଁ ଅନେକ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ଉଦ୍ୟମ କରନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ବିବାହ ବିଚ୍ଛେଦ ମାମଲା କୋର୍ଟଙ୍କ ହାତରେ ରହିଛି, ଏବଂ ଏହାର ରାୟ ଅନୁସାରେ ମାମଲାଗୁଡ଼ିକର ସମାଧାନ କରାଯିବ।
Comments are closed.