Latest Odisha News

BREAKING NEWS

ବାତ୍ୟା ‘ଦାନା’କୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରଶାସନଙ୍କୁ ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ, ଜ଼ିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ସମସ୍ତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆରଏସ, ହାଲୋଜେନ ଟାବଲେଟ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ମହଜୁତ କରିରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଗର୍ଭବତୀ ମହିଳାମାନଙ୍କୁ ନିକଟବର୍ତ୍ତୀ ମାଟରନିଟି ଗୃହକୁ ସ୍ଥାନାନ୍ତରଣ କରି ସେମାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି ।

ଡାକ୍ତରଖାନା ମାନଙ୍କରେ ଡିଜି/ଜେନେରେଟର ଓ ପର୍ଯ୍ୟାପ୍ତ ପରିମାଣର ଡିଜେଲ ମହଜୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ, ଜ଼ିଲ୍ଲା ଓ ବ୍ଲକର ତ୍ୱରିତ ପ୍ରତିକ୍ରିୟା ଦଳକୁ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ କୋଲଡ଼ ଚେନ ପଏଣ୍ଟ ଓ ପାୱାର ବ୍ୟାକପର ସୁବନ୍ଦୋବସ୍ତ, ଜଳର ନିୟମିତ ପରୀକ୍ଷା, ନିର୍ଦ୍ଧିଷ୍ଟ ପୋର୍ଟାଲରେ ନିୟମିତ ବ୍ୟବଧାନରେ ତଥ୍ୟ ଅଫଲୋଡ଼, ଗର୍ଭବତୀ ମହିଳା, ସାପ କାମୁଡା ଓ ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ବେଡ଼, ବ୍ୟାପକ ଜନସଚେତନତା, ଅକ୍ସିଜେନ ସିଲିଣ୍ଡର ମହଜୁତ ରଖିବା, ସଦର ମହକୁମା ନ ଛାଡିବା ଓ ଯେଉଁଠି ଔଷଧ ମହଜୁତ ନାହିଁ ବା ଅଧିକ ଔଷଧର ଆବଶ୍ୟକତା ରହିଛି ତୁରନ୍ତ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ସମୟରେ ଯୋଗାଯୋଗ ବିଛିନ୍ନ ହୋଇଥାଏ ତେଣୁ ସେଥିପାଇଁ ବିଶେଷ ଯତ୍ନବାନ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହି ବୈଠକରେ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ, ମେଡିକାଲ କଲେଜ ଗୁଡିକର ଅଧିକ୍ଷକ ଓ ସମସ୍ତ ଜ଼ିଲ୍ଲାର ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.