Latest Odisha News

ଆନ୍ତର୍ଜାତିକ ବଜାରରେ କମୁଛି କିନ୍ତୁ ଦେଶରେ ତେଲ ମହଙ୍ଗା ! ଚିନ୍ତାରେ ସାଧାରଣ ଉପଭୋକ୍ତା

ଭୁବନେଶ୍ୱର : ଗୋଟିଏ ପଟେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ଆଉ ଏପଟେ ତେଲ ଦର, ଉଭୟ ଏବେ ସାଧାରଣ ବର୍ଗଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଦେଶବ୍ୟାପୀ ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବା ବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଫଳରେ ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ମହଙ୍ଗା ମାଡ଼ରେ ବିଚରା ସାଧାରଣ ବର୍ଗ ଅଣନିଶ୍ବାସୀ ହୋଇପଡ଼ିଲେଣି। ସେପଟେ ଅନ୍ତର୍ଜାତୀୟ ବଜାରରେ ବେଶ କିଛି ଦିନ ହେବ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ ଘଟି ୧୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସୂଚନା ଅନୁସାରେ ଅଶୋଧିତ ତୈଳ ଦର ଏବେ ବ୍ୟାରେଲ ପିଛା ପ୍ରାୟ ୭୦ ଡଲାର ତଳକୁ ଖସିଆସିଛି। ଉଲ୍ଲେଖଯୋଗ୍ୟ, ଶେଷଥର ପାଇଁ ୨୦୨୧ ଡିସେମ୍ବରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୬୫ ଡଲାର ସ୍ତରରେ ରହିଥିଲା।

ବିଗତ ୧୦ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ସତ୍ତ୍ବେ ଘରୋଇ ବଜାରରେ କମୁନି ପେଟ୍ରୋଲ ଏବଂ ଡିଜେଲ ଦର। ବିଶ୍ବ ବଜାରର ଅଶୋଧିତ ତୈଳ ଦର ଆଧାରରେ ଦୈନିକ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରାଯାଉଛି। ତେବେ ପ୍ରଶ୍ନ ହେଉଛି, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟୁଥିଲେ ସୁଦ୍ଧା କେନ୍ଦ୍ର ସରକାର, କଣ ପାଇଁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟାଉ ନାହାନ୍ତି ।

Comments are closed.