ପୁରୀ: ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳ ଚାରିପାଖେ ଯେଭଳି ମନମୁଖୀ ଭାବେ କୋଠାବାଡ଼ି ଓ ଉଚ୍ଚ ଅଟ୍ଟାଳିକା ଏବଂ ନିର୍ମାଣ ନ ହେବ, ସେଥିପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ସର୍ଭେ କରାଯିବ । ଏ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ହୋଇସାରିବାରୁ ଏହା ଯେଭଳି ସଂରକ୍ଷିତ ରହିବ, ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ରାଜ୍ୟ ପରିବହନ ବିଭାଗ ଏ ନେଇ ଏକ ଟେଣ୍ଡର ଆହ୍ୱାନ କରିଛି । ଏହି ସ୍ଥାନଟି ବିମାନବନ୍ଦର ପାଇଁ ଚିହ୍ନଟ ହୋଇସାରିଛି । ତେଣୁ ବିମାନବନ୍ଦର ଅଞ୍ଚଳରେ କୋଠାବାଡ଼ି ନିର୍ମାଣ ପୂର୍ବରୁ ଭାରତ ସରକାରଙ୍କ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅଧୀନରେ ଆବେଦନ କରିବାକୁ ପଡ଼ିବ । ଏଏଆଇଠାରୁ ଏନ୍ଓସି ନେବାକୁ ହେବ । ଆବେଦନକାରୀ ଯେଉଁ ପ୍ଲଟ ପାଇଁ ଆବେଦନ କରିବେ, ସେଇ ପ୍ଲଟକୁ ନେଇ ସର୍ଭେ କରାଯିବ ।
ଏହି ପ୍ଲଟଟି ସମୁଦ୍ର ପତ୍ତନରୁ କେତେ ଉଚ୍ଚତାରେ ରହିଛି, ବିମାନବନ୍ଦରଠାରୁ ଏହାର ଦୂରତା କେତେ ରହିଛି, ଏହାର ପ୍ରଭାବ କ’ଣ ରହିବ, ସବୁଦିଗକୁ ନେଇ ସର୍ଭେ କରାଯିବା ପରେ ଏନଓସି ମିଳିବ । ଏହି ସର୍ଭେ କାର୍ଯ୍ୟ ପାଇଁ ପରିବହନ ବିଭାଗ ଏକ ଏଜେନ୍ସିକୁ ନିଯୁକ୍ତ କରିବ । ୨୮ ତାରିଖ ସୁଦ୍ଧା ଆବେଦନ ଗ୍ରହଣ କରାଯିବ ।
High-rise buildings will not be built arbitrarily in the proposed Puri airport area…