Latest Odisha News

BREAKING NEWS

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଏକ ନମୁନା କିଞ୍ଜିର୍ମା ହାଇସ୍କୁଲ

ସୁନ୍ଦରଗଡ଼: ନୂଆ ରୂପ ପାଉଛି ହାଇସ୍କୁଲ । ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ନବକଳେବର ହେଉଛି । ଚକାଚକ କ୍ଲାସରୁମ୍ । ସ୍କୁଲ ପରିସର ସରସ ସୁନ୍ଦର । ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାକୁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି ହେଉଛି । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର୍ମା ସରକାରୀ ହାଇସ୍କୁଲର ଛାତ୍ରୀ ଜାହ୍ନବୀ ନାୟକ ଏକଥା କହିଛନ୍ତି । ସେ କହିଛନ୍ତି, ଆଗରୁ ଶିକ୍ଷକମାନେ ପୁରୁଣା କଳାପଟାରେ ପାଠ ପଢ଼ାଉଥିଲେ । ଶ୍ରେଣୀ ଗୃହର କାନ୍ଥଗୁଡ଼ିକରୁ ରଙ୍ଗ ଛାଡ଼ି ଛାପା ଛାପା ଦେଖାଯାଉଥିଲା । ଏବେ କ୍ଲାସରୁମ୍ ସୁନ୍ଦର ଦେଖାଯାଉଛି । ନୂଆ ବେଞ୍ଚ ଡେସ୍କରେ ବସି ସେମାନେ ପାଠ ପଢୁଛନ୍ତି । ଶିକ୍ଷକମାନେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ାଉଛନ୍ତି । ତେଣୁ ପଢ଼ିବାକୁ ଆଗ ଅପେକ୍ଷା ଅଧିକ ଆଗ୍ରହ ଲାଗୁଥିବା ଜାହ୍ନବୀ ନାୟକ କହିଛନ୍ତି ।

ପୂର୍ବରୁ ବିଦ୍ୟାଳୟର ଚିତ୍ର ଓ ଏବେକାର ରୂପ ଦେଖିଲେ ଆକାଶ ପାତାଳ ଫରକ ଆସିବ । କଳାପଟାରେ ପାଠପଢ଼ା ପିଲାଙ୍କ ପାଇଁ ଟିକେ ବୋରିଂ ଥିଲା । ଏବେ ସ୍ମାର୍ଟବୋର୍ଡ ଜରିଆରେ ପିପିଟି, ଫଟୋ ଏବଂ ଭିଡିଓ ବ୍ୟବହାର କରି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଫଳରେ ପିଲାମାନେ ବେଶ୍ ଆଗ୍ରହର ସହ ପଢୁଛନ୍ତି ଓ ଶିଖୁଛନ୍ତି ବୋଲି କିଞ୍ଜିର୍ମା ହାଇସ୍କୁଲର ଶିକ୍ଷକ ଶ୍ରୀକାନ୍ତ ସାହୁ କହିଛନ୍ତି ।

ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା, ସମସ୍ତଙ୍କ ଆଖିରେ ଝଲସି ଉଠିଛି କିଞ୍ଜିର୍ମା ହାଇସ୍କୁଲର ପରିବର୍ତ୍ତନର ରୂପ । ଦିନେ ଯେଉଁ ଶ୍ରେଣୀଗୃହରେ ପୁରୁଣା ବେଞ୍ଚ ଡେସ୍କ ପଡ଼ିଥିଲା, ମଳିଛିଆ କଳାପଟାରେ ଚକ୍‌ଖଡ଼ି ବ୍ୟବହାର କରି ସାର୍ ପାଠ ପଢ଼ାଉଥିଲେ, ସେହି ସ୍ଥାନ ସୁନ୍ଦର ଓ ଆକର୍ଷଣୀୟ ହୋଇଯାଇଛି । ତାସହ ଆଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ୍ । ଏସବୁ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମ୍ଭବ ହୋଇଛି ।
କିଞ୍ଜିର୍ମା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଦେବକୀ ଜୟପୁରିଆ କହିଛନ୍ତି, ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟର ପରିବେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ସୃଜନାତ୍ମକ ବିକାଶ ସମ୍ଭବ ହୋଇପାରିବ । ସ୍କୁଲର ଭିତ୍ତିଭୂମି ଏବଂ ଶିକ୍ଷାଦାନ ଧାରାକୁ ଦେଖିଲେ ଏବେ ସେମାନେ ଆଧୁନିକ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ସମକକ୍ଷ ହୋଇପାରିବେ।
୧୯୬୬ ମସିହାରେ କିଞ୍ଜିର୍ମାର ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା । ଏଠାରେ ପ୍ରଥମେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାଦାନ କରାଯାଉଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୧୮ରେ ଏହା ସହ ନିକଟରେ ଥିବା ସାରେସବୁଡ଼ ପ୍ରାଥମିକ ବିଦ୍ୟାଳୟକୁ ମିଶାଇ ଦିଆଗଲା । ଏବେ ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୮୪ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସ୍କୁଲରେ ଅଛନ୍ତି ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ଜିଲ୍ଲାରେ ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ବେଳେ ଏହି ବିଦ୍ୟାଳୟର ନୂଆ ରୂପ ଏବେ ସମସ୍ତଙ୍କ ନଜରକୁ ଆସିଛି ।
“ଯେଉଁ ଅଭିଭାବକମାନେ ଆଗରୁ ସରକାରୀ ସ୍କୁଲ ପ୍ରତି ଆଗ୍ରହ ଦେଖାଉନଥିଲେ, ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପରେ ଏବେ ସେମାନଙ୍କର ଭାବନା ନିଶ୍ଚୟ ବଦଳିଯିବ । ସେମାନେ ନିଜ ପିଲାଙ୍କୁ ଘରୋଇ ସ୍କୁଲକୁ ନ ପଠାଇ ସରକାରୀ ସ୍କୁଲକୁ ପଠାଇବାକୁ ଚାହିଁବେ । ଛାତ୍ରଛାତ୍ରୀମାନେ ନିଜ ସ୍ୱପ୍ନ ସାକାର କରିପାରିବେ ବୋଲି ଜଣେ ପୁରାତନ ଛାତ୍ର ଓମକାର ନାୟକ କହିଛନ୍ତି ।

ପାଠ ସହିତ ଖେଳକୁଦ ସବୁଥିରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ନାଁ କମାଇଛନ୍ତି । ଅନୁଷ୍ଠାନର ଛାତ୍ରୀ ସତ୍ୟବତୀ ବାଗ୍ ଜାତୀୟସ୍ତରୀୟ କବାଡ଼ି ଓ ରାଜ୍ୟସ୍ତରୀୟ ଖୋଖୋ ଏବଂ ଯୋଗେନ ବାଗ୍ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାସ୍ତରରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ଭାଗନେଇ ଅନେକ ଥର ପୁରସ୍କୃତ ହୋଇଛନ୍ତି । ଏବେ ନୂଆ ପରିବେଶ ପିଲାଙ୍କ ଭିତରେ ଏକ ଉତ୍ସାହ ସୃଷ୍ଟି କରିବାକୁ ଯାଉଛି ।
କିଞ୍ଜିର୍ମା ହାଇସ୍କୁଲର ଛାତ୍ରଛାତ୍ରୀମାନେ ଏବେ ସ୍କୁଲକୁ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖି ବେଶ୍ ଖୁସି । ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଏହି ବିଦ୍ୟାଳୟର ଆଉ କିଛି କାର୍ଯ୍ୟ ଚାଲିଛି । ଯାହାକି ଅଳ୍ପ ଦିନ ଭିତରେ ଶେଷ ହୋଇଯିବ । ଗତ ୭ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ଙ୍କ ସହ ଉଚ୍ଚ ସଚିବସ୍ତରୀୟ ଟିମ୍ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କିଞ୍ଜିର୍ମା ସରକାରୀ ହାଇସ୍କୁଲ ବୁଲି ଦେଖିଥିଲେ । ଏଠାକାର ସ୍ମାର୍ଟ କ୍ଲାସରୁମ୍‌, ଆଧୁନିକ ବିଜ୍ଞାନାଗାର, ଖେଳପଡ଼ିଆ ଓ ଅନ୍ୟାନ୍ୟ ଭିତ୍ତିଭୂମି ଦେଖି ରୂପାନ୍ତରଣ କାର୍ଯ୍ୟକ୍ରମ ଅଗ୍ରଗତି ନେଇ ସେମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ କିଭଳି ଏହାକୁ ସଫଳ ରୂପ ଦେବାକୁ ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ଏହି ସଚିବସ୍ତରୀୟ ଟିମ୍‌କୁ ଜଣାଇଥିଲେ।

୫-ଟି ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ ଲାଗି ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ୫୦ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି । ରାଉରକେଲା ସହରରେ ୧୦ଟି ହାଇସ୍କୁଲର କାମ ହେଉଛି । ବାକି ୪୦ଟି ହାଇସ୍କୁଲ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ରହିଛି ।
ହାଇସ୍କୁଲ ରୂପାନ୍ତରଣ ଅଭିଯାନ ଅଧୀନରେ ସରକାରୀ ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯାଉଛି । ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ୍‌, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡ଼ିଆ ସହ କ୍ରୀଡ଼ା ଉପକରଣ ଯୋଗାଇ ଦିଆଯାଉଛି । କେବଳ ଭିତ୍ତିଭୂମି ନୁହେଁ, ସ୍କୁଲର ସାମଗ୍ରିକ ପରିବେଶ ଓ ପାଠ ପଢ଼ାଇବାର ଧାରାରେ ଉନ୍ନତି ସହ ପିଲାଙ୍କ ଭିତରେ ସ୍ୱପ୍ନ ଦେଖିବା ଏବଂ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଇଚ୍ଛାଶକ୍ତି ସୃଷ୍ଟି କରିବା ଏହି ରୂପାନ୍ତରଣର ଲକ୍ଷ୍ୟ ।

Leave A Reply

Your email address will not be published.