Latest Odisha News

BREAKING NEWS

ଟିକାକରଣର ପଞ୍ଚମ ଦିନ: ଆଜି ରାଜ୍ୟରେ ୩୭ ହଜାର ଟିକାଦାନ ଲକ୍ଷ୍ୟ

ଭୁବନେଶ୍ୱର: ପ୍ରଥମ ପର୍ୟ୍ୟାୟ କରୋନା ଟିକାକରଣର ଆଜି ପଞ୍ଚମ ଦିନ । ଆଜି ୪୩୬ଟି ସେସନରେ ୩୭ହଜାର ୭୬ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟିକା ନେଲେଣି ୬୮ହଜାର ୭୪୩ ସ୍ୱାସ୍ଥ୍ୟକର୍ମୀ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସୁରୁଖୁରୁରେ ଟିକାଦାନ ଚାଲିଛି । ଗତକାଲି ସାରା ରାଜ୍ୟରେ ୯୩ଟି ସେସନରେ ୭ହଜାର ୯୪୬ ଜଣ ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ଆଜି ସର୍ବାଧିକ ଟିକାଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ୨୫ ତାରିଖ ପରେ ନୂଆ ସେସନ ଚୁଡାନ୍ତ ହେବେ। ବର୍ତ୍ତମାନ ସୁଦ୍ଧା ଟିକାକରଣରେ କାହା ପାଖରେ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନି ।

ଗତକାଲି ଭୁବନେଶ୍ୱରରେ ୧୭ ସେସନରେ ୧୬ଶହ ୭୪ଜଣ ନେଇଥିଲେ କୋଭିଡ୍ ଟିକା । ଯାହାକି ଟାର୍ଗେଟର ୧୧୮ ପ୍ରତିଶତ । ଗତ ୧୬ ତାରିଖରୁ ୨୦ତାରିଖ ଯାଏ ଭୁବନେଶ୍ୱରରେ ମୋଟ୍ ୫ହଜାର ୮୪୯ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧା ଟିକା ନେଇଛନ୍ତି । ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯାଉଛି । ଆସନ୍ତା ଦ୍ୱିତୀୟ ପର୍ୟ୍ୟାରେ ଆସିପାରେ କୋଭାକ୍ସିନ ଟିକା ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ଲକ୍ଷ ୩୮ହଜାର ୭୭୭ ସ୍ୱାସ୍ଥ୍ୟକର୍ମୀ ପଞ୍ଜିକରଣ କରିଛନ୍ତି । ନୂଆ ପଞ୍ଜିକରଣ ବି ଚାଲିଛି । ଟିକାଦାନ ବେଳେ ଅନୁପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପରବର୍ତ୍ତୀ ତାରିଖ ଦିଆଯାଉଛି । ସମସ୍ତେ ଟିକା ନେବାକୁ ଆଗେଇ ଆସିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.