Latest Odisha News

ହିମନ୍ତ ବିଶ୍ୱଶର୍ମା ହୋଇପାରନ୍ତି ଆସାମର ନୂଆ ମୁଖ୍ୟମନ୍ତ୍ରୀ, ଆଜି ନିଷ୍ପତ୍ତି

ଗୌହାଟୀ: ଆସାମରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? ସର୍ବାନନ୍ଦ ସୋନୋଓ୍ୱାଲ ନା ହିମନ୍ତ ବିଶ୍ୱଶର୍ମା ? କାହା ହାତରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କ୍ଷମତା ଡୋରି ଧରାଇବେ ? ହିମନ୍ତ ବିଶ୍ୱଶର୍ମା ହୋଇପାରନ୍ତି ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଆସାମରେ ବିଜେପି ବିଧାୟକ ଦଳ ନେତା ଚୟନ ନେଇ ଗୌହାଟୀରେ ବୈଠକ ବସିବ । ଏଠାରେ ବିଧାୟକ ଦଳ ନେକା କାହାକୁ କରାଯିବ ବିଚାରବିମର୍ଶ ପରେ ଚୁଡ଼ାନ୍ତ ନିଷ୍ପତ୍ତି ହେବ । ମିଳିଥିବା ସୂଚନା ଅନୁସାରେ ଆଗରେ ଅଛନ୍ତି ହିମନ୍ତ ବିଶ୍ୱଶର୍ମା ।

ଗତକାଲି ମୁଖ୍ୟମନ୍ତ୍ରୀ ଚୟନ ନେଇ କାଲି ଦିଲ୍ଲୀରେ ମାନସମନ୍ଥନ ହୋଇଥିଲା । ସର୍ବାନନ୍ଦ ସୋନୋଓ୍ୱାଲ ଓ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିଥିଲେ ଜେ. ପି. ନଡ୍ଡା ଓ ଅମିତ ଶାହ । ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିବେ ।

ଆସାମରେ ପୁଣି ଥରେ ପଦ୍ମ ଫୁଟାଇବାରେ ହିମନ୍ତ ବିଶ୍ୱଶର୍ମା ଥିଲେ ଷ୍ଟ୍ରାଟେଜୀ ମେକର । ଚଳିତ ନିର୍ବାଚନ ବିଜେପି ବିଜୟ ରଥର ସେ ଅନ୍ୟତମ ସାରଥୀ । ତୃଣମୂଳସ୍ତରରେ ଦଳକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ବିଜେପି ୬୦ ଓ ସହଯୋଗୀ ଆସାମ ଗଣପରିଷଦ ୯ ଓ ୟୁପିପିଏଲ୍ ୬ଟି ଆସନରେ ବିଜୟୀ ହୋଇଛନ୍ତି ।

୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ସର୍ବାନନ୍ଦ ସୋନୋଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା । ବିଜୟୀ ବି ହୋଇଥିଲା । କିନ୍ତୁ ୨୦୨୧ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିଲା ଦଳ । ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ତାଉପରେ ନଜର ରହିଛି ।

Leave A Reply

Your email address will not be published.