Latest Odisha News

ବିଗବସ୍ ମଞ୍ଚରେ ହିନା, ସ୍ଵାସ୍ଥ୍ୟ ବିଷୟରେ ପଚାରିଲେ ସଲମାନ

ମୁମ୍ବାଇ: ନିଜ ଜୀବନର କଠିନ ପରିସ୍ଥିତି ଦେଇ ଏବେ ଗତି କରୁଛନ୍ତି ଅଭିନେତ୍ରୀ ହିନା ଖାନ । କର୍କଟ ରୋଗରେ ପୀଡିତ ହିନା ଗତ କିଛି ଦିନ ହେବ ଚିକିତ୍ସିତ ହେଉଛନ୍ତି। ଏପରି କଠିନ ପରିସ୍ଥିତିରେ ମଧ୍ୟ ନିଜ ଜୀବନକୁ ମନ ଖୋଲି ଖୁସିରେ ବଞ୍ଚୁଛନ୍ତି ଅଭିନେତ୍ରୀ ଜଣଙ୍କ । ଏଥିସହ ନିଜେ ନିଜକୁ ମୋଟିଭେଟ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ମୋଟିଭେଟ କରୁଛନ୍ତି । ତେବେ ଏହାରି ଭିତରେ ‘ବିଗ୍ ବସ୍ ୧୮’ ର ମଞ୍ଚରେ ପହଞ୍ଚିଥିଲେ ହିନା । ଏପିସୋଡ୍ ‘ୱିକେଣ୍ଡ୍ କା ୱାର’ ପାଇଁ ହିନା ଶୋ’ର ଏକ ଅଂଶ ହୋଇଥିଲେ । ଏହି ସମୟରେ ସଲମାନ ଖାନ ଅଫ ସ୍କ୍ରିନରେ ବସି ଅଭିନେତ୍ରୀଙ୍କ ସହ କଥା ହୋଇଥିଲେ, ଯାହା ବିଷୟରେ ହିନା ଖାନ ନିଜେ କହିଛନ୍ତି।

ହିନା ଖାନ ସଲମାନ ଖାନଙ୍କ ସହ ‘ବିଗ୍ ବସ୍ ୧୮’ ମଞ୍ଚରୁ ତିନୋଟି ଫଟୋ ସେୟାର କରିଛନ୍ତି । ଗ୍ରେ ରଙ୍ଗର ଚକଚକିଆ ବ୍ଲେଜର ସୁଟ୍ ପିନ୍ଧି ଅଭିନେତ୍ରୀ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଖୋଲା କେଶ ଏବଂ ବେକରେ ମଲ୍ଟିଲେୟାର ନେକଲେସ ପିନ୍ଧି ହିନା ସଲମାନ ଖାନଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକ ସହିତ ହିନା ସଲମାନ ଖାନଙ୍କ ପାଇଁ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି ଏବଂ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।

ହିନା ଖାନ ଲେଖିଛନ୍ତି- ‘ମୁଁ ସର୍ବଦା ନମ୍ର ଓ ଦୟାଳୁ ସଲମାନ ଖାନଙ୍କ ସହ ମୋର ସାକ୍ଷାତରୁ କିଛି ନା କିଛି ନେଇ ଯାଏ । କିନ୍ତୁ ଏଥର ଏହା ଅଲଗା ଥିଲା । ଦୀର୍ଘ ଦିନ ପରେ ସେ ମୋତେ ଭେଟିବାକୁ ଯେଉଁ ନିଆରା ପ୍ରୟାସ କରିଛନ୍ତି ଏବଂ ଦିନସାରା ଠିଆ ହୋଇ ସେ ଯାହା କରିଛନ୍ତି ସେଥିରୁ ମୋତେ ବହୁତ ପ୍ରେରଣା ମିଳିଛି । ତାଙ୍କର ଏହି କାର୍ଯ୍ୟ ପ୍ରକୃତରେ ମୋ ହୃଦୟକୁ ସ୍ପର୍ଶ କରିଛି । ସେ ମୋତେ ଡାକିଲେ ଏବଂ ମୋତେ ତାଙ୍କ ସହିତ ବସିବାକୁ ଦେଲେ, ଏକ ଘଣ୍ଟା ଧରି ମୋର ଚିକିତ୍ସାର ପ୍ରତ୍ୟେକ ଛୋଟ ବିବରଣୀ ବିଷୟରେ ପଚାରିଥିଲେ ଏବଂ ମୋର ଆତ୍ମବିଶ୍ୱାସ ବଢାଇବାକୁ ଚେଷ୍ଟା କରୁଥିଲେ ଯାହା ସବୁଠାରୁ ଅଲଗା ଥିଲା।

ହିନା ଆହୁରି ଲେଖିଛନ୍ତି- ‘ସେ କେବଳ ନିଜର ଅଭିଜ୍ଞତା ଏବଂ ଜ୍ଞାନ ବାଣ୍ଟି ନାହାଁନ୍ତି, ବରଂ ମୋତେ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ ହେବାକୁ କହିଛନ୍ତି । ସେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ମୁଁ ଭଲ ହୋଇଯିବି । ବାସ୍ତବରେ ସେ ଏପରି କରିବା କଥା ନୁହେଁ, ତଥାପି ସେ କଲେ । ନିଜର ବ୍ୟସ୍ତବହୁଳ ଦିନରେ ସେ ମୋ ପାଇଁ ସମୟ ବାହାର କଲେ ଏବଂ ବ୍ୟକ୍ତିଗତ ଭାବରେ ମୋତେ ସମର୍ଥନ କଲେ, ପ୍ରେରଣା ମଧ୍ୟ ଦେଲେ । ତେବେ ଏହା କେବଳ ମୋ ପାଇଁ ପ୍ରେରଣା ନୁହେଁ, ଏହା ମୋ ପାଇଁ ଏକ ଶିକ୍ଷା ଏବଂ ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ । ତୁମକୁ ଏଥିପାଇଁ ଅନେକ ଅନେକ ଧନ୍ୟବାଦ । ତୁମକୁ ମୁଁ ସର୍ବଦା ବହୁତ ସମ୍ମାନ କରେ ବୋଲି ଲେଖିଛନ୍ତି ହିନା ।

Leave A Reply

Your email address will not be published.