ଥିରୁଅନନ୍ତପୁରମ: ଧର୍ମର ନ ଥାଏ ସୀମା ସରହଦ । ଧର୍ମ ବିଶ୍ୱାସ ପାଇଁ ନ ଥାଏ ଲକ୍ଷ୍ମଣ ରେଖା । ଜଣେ ଅଛନ୍ତି ସର୍ବୋଚ୍ଚ ପାଳନକର୍ତ୍ତା । ସେ ଭଗବାନ..ସେ ଗଡ୍..ସେ ଆଲ୍ଲା.. । ସେ ଏକ, ଅଦ୍ୱିତୀୟ.. । ଧର୍ମକୁ ନେଇ ରକ୍ତର ନଦୀ ବହୁଥିବାବେଳେ ଛୋଟ ଝିଅଟି ଏଇ ନିଗୁଡ କଥାକୁ ବୁଝାଇ ଦେଇଛି । ଆପଣ ଭକ୍ତ ସାଲବେଗ କାହାଣୀ ଶୁଣିଥିବେ, ସିକନ୍ଦର ଅଲାମଙ୍କ ଜଗନ୍ନାଥ ଭଜନ ବି ଶୁଣିଥିବେ । ଏଠି ଆମେ କୁନି ଝିଅ ପ୍ରଭାତିଙ୍କ କଥା କହିବୁ, ଯିଏ ହିନ୍ଦୁ ହୋଇ ବି ପ୍ରାଞ୍ଜଳ ଭାବେ କୋରାନ ଆବୃତ୍ତି କରିପାରୁଛନ୍ତି ।
କେରଳ କୋଝିକୋଡେର କୁନିଝିଅ ପ୍ରଭାତି । ୪ର୍ଥ ଶ୍ରେଣୀର ଛାତ୍ରୀ । ଥୋଡାନୁର ଉପଜିଲ୍ଲାରେ ଆୟୋଜିତ କୋରାନ ଆବୃତ୍ତି ପ୍ରତିଯୋଗିତାରେ ଏଇ କୁନି ଝିଅ ପ୍ରଥମ ପୁରସ୍କାର ଜିତିଛନ୍ତି । ଆରବିକ ଭାଷାରେ ଦକ୍ଷତା ହାସଲ କରିଥିବା ପ୍ରଭାତି ଅତି ସୁନ୍ଦର ଓ ପ୍ରାଞ୍ଜଳ ଭାବେ କୋରାନ ଆବୃତ୍ତି କରି ସମସ୍ତଙ୍କ ମନକୁ ଛୁଇଁ ଯାଇଛନ୍ତି ।
ପ୍ରଭାତି ହିନ୍ଦୁ ସଂପ୍ରଦାୟର । ତାଙ୍କର ଜଣେ ଯମଜ ଭାଇ ଅଛନ୍ତି ଯାହାର ନାଁ ପ୍ରଭନ । ବିଭିନ୍ନ ଭାଷା ଉପରେ ଦୁଇ ଭାଇ ଭଉଣୀଙ୍କ ଅଗାଧ ଦକ୍ଷତା । ଯାହା ବି ହେଉ, ଏହି କୋରାନ ଆବୃତ୍ତି ପ୍ରତିଯୋଗିତା ଜିତିବା ପରେ ପ୍ରଭାତି ଧାର୍ମିକ ସଦ୍ଭାବନାର ଏକ ପ୍ରତୀକ ପାଲଟି ଯାଇଛନ୍ତି ।
ଇସଲାମ ଧର୍ମଗ୍ରନ୍ଥ କୋରାନ । ଯେତେବେଳେ ପ୍ରଭାତିଙ୍କ କଣ୍ଠରୁ ଭାସି ଆସିଥିଲା ସେଇ ଆରବିକ ପଦ୍ୟାଂଶ ‘ବିସମିଲାହିର ରହମାନିର ରହିମ….’ ଉପସ୍ଥିତ ଲୋକେ ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ପ୍ରଭାତିଙ୍କୁ ମୁହଁରେ ଏହାର ଅନୁବାଦ ‘ଆାଲ୍ଲା ସେଇ ନାମ ଯାହା ସବୁଠୁ ବିନମ୍ର..ସବୁଠୁ ଦୟାଳୁ ..’ ବି ବିଚାରକ ମଣ୍ଡଳୀଙ୍କ ମନକୁ ଛୁଇଁ ଯାଇଥିଲା ।
ପ୍ରଭାତିଙ୍କ ବାପା ନଲିଶ ବବି ପେଷାରେ ଜଣେ ଆଇଟି ପ୍ରଫେସନାଲ । କୋଜିକୋଡେରେ କାମ କରନ୍ତି । ମା’ ଦିନା ପ୍ରଭା ଇଂରାଜୀ ଅଧ୍ୟାପିକା । ପରିବାର ଲୋକେ ଭାଷାର ମୂଲ୍ୟକୁ ବୁଝିଥିଲେ । ତେଣୁ ପିଲାବେଳୁ ପ୍ରଭାତି ଓ ପ୍ରଭନଙ୍କୁ ଏକାଧିକ ଭାଷାଶିକ୍ଷା ପ୍ରତି ଉତ୍ସାହିତ କରୁଥିଲେ ।
Comments are closed.