Latest Odisha News

କେଜ୍ରିଓ୍ବାଲଙ୍କ ବୟାନ ନେଇ ଫେରାଦ ହେଲା ଇଡି, ହେଲେ ଖଣ୍ଡନ କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ବାଲଙ୍କ ବୟାନକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହେଲା ଇଡି । ହେଲେ ମିଳିଳାନି କିଛି ସୁଫଳ । ନିର୍ବାଚନ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନକୁ ବିରୋଧ କରି ସୁପ୍ରିମକୋର୍ଟ ଆଗରେ ଫେରାଦ ହୋଇଥିବା ଇଡିକୁ ମିଳିଲା ଶକ୍ତ ଝଟକା ।  ଇଡିର କେଜ୍ରିୱାଲ ବିରୋଧୀ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ତେବେ ଏକ ନିର୍ବାଚନ ରାଲିରେ କେଜ୍ରିଓ୍ବାଲ କହିଥିଲେ, ଯଦି ଆପଣ ମୋଦୀଙ୍କୁ ଭୋଟ ଦେବେ, ତେବେ ମୁଁ ପୁଣି ଜେଲ ଯିବି । ଯଦି ଝାଡୁ ଚିହ୍ନରେ ଆପ୍‌କୁ ଭୋଟ ଦେବେ, ତା’ହେଲେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ ।

ଏପରି ଭାଷଣକୁ ବିରୋଧ କରି ଇଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କେଜ୍ରିୱାଲଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନକୁ ରଦ୍ଦ କରିବା ପାଇଁ ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଏହି ଯୁକ୍ତି ରଖିଥିଲେ। ସେ କହିଥିଲେ କେଜ୍ରିୱାଲଙ୍କ ପ୍ରଚାର ରାଲିରେ ଏଭଳି ବୟାନ ବାଜି ଜାମିନ ନିୟମକୁ ସ୍ପଷ୍ଟ ଭାବେ ଉଲ୍ଲଙ୍ଘନ କରୁଛି। ଏହା ନ୍ୟାୟପାଳିକା ଗାଲରେ ଶକ୍ତ ଚାପୁଡ଼ା ସଦୃଶ।

ଯାହାକୁ ଖଣ୍ଡନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ଏପରି ବୟାନ ଜାମିନ ସର୍ତ୍ତକୁ ଉଲ୍ଲଙ୍ଘନ କରୁନାହିଁ।ସେ ଆହୁରି ମଧ୍ୟ କହିଛନ୍ତି, କେଜ୍ରିୱାଲଙ୍କ ଏଭଳି ବୟାନ ତାଙ୍କର ବ୍ୟକ୍ତିଗତ ମତ। ଏହା ତାଙ୍କର ଆକଳନ। ଆମେ କିଛି ବି କହିପାରିବୁ ନାହିଁ। ଆମ ନିର୍ଦ୍ଦେଶ ପୂରା ସ୍ପଷ୍ଟ ରହିଛି। ଏହା କୋର୍ଟଙ୍କ ନିଷ୍ପତ୍ତି। ଆମେ ଆଇନର ପରିଧି ମଧ୍ୟରେ ଆବଦ୍ଧ।

କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇ ଆମେ ତାଙ୍କୁ  କୌଣସି ସ୍ୱତନ୍ତ୍ର ସେବାର ଅଧିକାର ଦେଇନାହୁଁ। କେବଳ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଅଧିକାର ଦିଆଯାଇଛି। ଆମେ କାହା ପାଇଁ କୌଣସି ବ୍ୟତିକ୍ରମ କରୁନାହୁଁ। ଯାହା ଯର୍ଥାର୍ଥ ସେହା ହିଁ କରାଯାଇଛି ।

Comments are closed.