Latest Odisha News

BREAKING NEWS

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା: ମୁଖ୍ୟ ଆକର୍ଷଣ ସାଜିବ ଗ୍ରାମୀଣ ପ୍ରତିଛବି ଓ ଫିସ୍ ଟନେଲ୍

କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି  । ଆଜିଠୁ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବ ମହାମେଳା । ଯାହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ  । ଆଜି ସନ୍ଧ୍ୟାରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବ  । ୮ ଦିନ ଧରି ପୁରା ଲୋକାରଣ୍ୟ ହୋଇପଡିବ ମହାନଦୀ ପଠାର ତଳ ଓ ଉପର ବାଲିଯାତ୍ରା ପଡିଆ  । ଚଳିତ ବର୍ଷ ୧୬ ଶହ ଷ୍ଟଲ ପଡିଥିବାବେଳେ ଏଥର ଗ୍ରାମୀଣ କଟକର ଝଲକ ଓ ଫିସ୍ ଟନେଲ୍ ପ୍ରମୁଖ ଆକର୍ଷଣ ସାଜିବ ।

ଏହାସହ ଦୋଳି, ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଚଟପଟି ଖାଦ୍ୟର ଭରପୁର ମଜା ଉଠାଇବେ ଲୋକ  । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ୨୫୦ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ବଲିଉଡ୍ ସିଙ୍ଗର ଅନୁ ମଲିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ।  ସେପଟେ ବାଲିଯାତ୍ରା ଦେଖିବାକୁ ଓଡିଶାର କୋଣ ଅନୁକୋଣରୁ ଲୋକଙ୍କର ସୁଅ ଛୁଟିବ  । ତେଣୁ ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ୪ଟି ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ରହିଛି  । ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.