ସାଧନା ପଣ୍ଡା
ପହିଲି ଶୀତର ପ୍ରତିଟି ଟୋପାରେ
ତୁମ ପାଦ ଶବ୍ଦ ଶୁଭେ
ସୋରିଷ କ୍ଷେତର ହଳଦୀ ପାଟରେ
ଆନନ୍ଦ ଭରଇ ଲବେ ।
ପୃଥିବୀ ପଣତେ ଧୂମିଳ ପ୍ରଭାତେ
ଛାଇ ଯାଅ ପ୍ରୀତି ବୋଳି
ସରଗ ସୁଷମା ମରତରେ ଉଭା
ଗୁଞ୍ଜଇ ନୁପୂର ତୋଳି ।
ଫେରିଛ କି ସତେ ଏଇ ଏ ମରତେ
ରାଗର ମହ୍ଲାର ଗାଇ
ପତରେ ପତରେ ଶୀତର ସକାଳେ
ଆଲିଙ୍ଗନ ସ୍ପର୍ଶ ଦେଇ ।
ସବୁଜ ଗହଳେ ତରୁ ଫୁଲ ଡାଳେ
ହୀରକର ଟୋପା ଥୋଇ
ଭରି ସୁଷମାରେ କେଦାରେ କେଦାରେ
ଆସ ଥିରି ଥିରି ବହି ।
ବନ ବନିକାରେ ପଲ୍ଲବ ପାଟଳେ
ଭିଜା ଭିଜା ଅଙ୍ଗଲତା
ଛାଇ ଯାଅ ତୁମେ କଅଁଳ ସକାଳେ
ସାଜି ଶିଶିରର ଟୋପା ।
ତୁମେ ଆସ ବୋଲି ଉଇଁଆସେ ମନେ
କେତେ ନବ ନବ ଆଶା
ଅଳସୀ ମନରେ ତୁମ ପ୍ରତୀକ୍ଷାରେ
ନବ ବଧୂ ସାଜେ ଉଷା ।
ଦେଖି ଏ ସମ୍ଭାର ପ୍ରୀତି ସକାଳର
ମନ ଯାଏ ତାର ପୂରି
ବସନ୍ତ କୁମାର ହାତ ଧରି କାଲି
ଯିବ ସେ ରାଜକୁମାରୀ ।
ଋତୁ ରାଇଜର ରୂପସୀ ତନୟା
ନାମଟି ତୁମର ଶୀତ
କଅଁଳ ସକାଳେ ପାଦ ଥାପି ତୁମେ
ହୋଇଲ ମନର ମିତ ।
ନାନା ଜାତି ଫୁଲେ ସଜାଇଲ ପରା
ପ୍ରକୃତି ରାଣୀର ଗଭା
କାକର ବୁନ୍ଦାର ଟିପି ଟିପି ଟୋପା
ଚନ୍ଦନ ଚର୍ଚ୍ଚିତ ଶୋଭା ।
ଶୀତ ନୁହେଁ ସେତ ଯାତନାର ଋତୁ
ବେଦନା- ବ୍ୟଥା- ବିଧୁରା
ପରିପୂର୍ଣ୍ଣ କରେ ଜୀବନ ଯମୁନା
ସ୍ୱଚ୍ଛ ମନ୍ଦାକିନୀ ଧାରା ।
ଭୁବନେଶ୍ବର