ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଯାଉଛି ଐତିହାସିକ ମୁକ୍ତ ବ୍ୟାପାର ଚୁକ୍ତି, FTA । ଯାହାକୁ ‘ମଦର ଅଫ୍ ଅଲ୍ ଡିଲ୍ସ’ ବୋଲି କହିଛନ୍ତି। ଏହି ଗୋଟିଏ ଡିଲ୍ ଚୀନ୍ ଏବଂ ଆମେରିକାକୁ ବଡ଼ ଝଟକା ଦେବ ? ଆଉ ଏହାଦ୍ୱାରା ଭାରତକୁ ମିଳିବ ୫ଟି ବଡ଼ ଫାଇଦା ।
ବଦଳୁଥିବା ବିଶ୍ୱ ରାଜନୀତି ଭିତରେ ଭାରତ ଏବଂ ୟୁରୋପୀୟ ସଂଘ ପରସ୍ପରର ଅତି ନିକଟତର ହୋଇଛନ୍ତି। ଟ୍ରମ୍ପ ପ୍ରଶାସନର କଠୋର ବ୍ୟାପାର ନୀତି ଏବଂ ଚୀନର ବଢ଼ୁଥିବା ପ୍ରାଧାନ୍ୟ ଭାରତକୁ ଏକ ନୂଆ ବଜାର ଖୋଜିବାକୁ ବାଧ୍ୟ କରିଛି। ଏହି ଚୁକ୍ତି ଦ୍ୱାରା ଭାରତକୁ ମିଳିବାକୁ ଯାଉଛି ୟୁରୋପର ୨୭ଟି ବିକଶିତ ଦେଶର ବଜାର । ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ଭାରତକୁ କି ଫାଇଦା ମିଳିବ ଆସନ୍ତୁ ଜାଣିବା ।
ପ୍ରଥମ ଫାଇଦା – ଆମେରିକାର ବିକଳ୍ପ । ଆମେରିକୀୟ ଶୁଳ୍କ ଯୋଗୁଁ ପ୍ରଭାବିତ ହେଉଥିବା ଭାରତୀୟ ପୋଷାକ, ଅଳଙ୍କାର ଏବଂ ଆଇଟି ସେବା ପାଇଁ ଏବେ ୟୁରୋପ ସାଜିବ ଶକ୍ତିଶାଳୀ ବିକଳ୍ପ ।
ଦ୍ୱିତୀୟ ଫାଇଦା – ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ । ଅକ୍ଷୟ ଶକ୍ତି ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ଚୀନ୍ ସହ ସିଧାସଳଖ ଟକ୍କର ଦେଇପାରିବ।
ତୃତୀୟ ଫାଇଦା – ଶୂନ୍ୟ ଶୁଳ୍କର ସୁବିଧା । ବାଂଲାଦେଶ ଭଳି ପଡ଼ୋଶୀ ଦେଶ ଯେଉଁ ସୁବିଧା ପାଉଥିଲେ, ଏବେ ଭାରତୀୟ ରପ୍ତାନିକାରୀମାନେ ମଧ୍ୟ ୟୁରୋପ ବଜାରରେ ବିନା କୌଣସି ଶୁଳ୍କରେ ସାମଗ୍ରୀ ବିକ୍ରି କରିପାରିବେ ।
ଚତୁର୍ଥ ଫାଇଦା- ଭାରତକୁ ମିଳିବ ୨୭ଟି ଦେଶର ବଜାର । ୟୁରୋପୀୟ ସଂଘ, ବିଶ୍ୱର ସବୁଠାରୁ ବିକଶିତ ଆର୍ଥିକ ଗୋଷ୍ଠୀ ମଧ୍ୟରେ ଅନ୍ୟତମ । ୨୦୨୬ ସୁଦ୍ଧା ଏହାର ମୋଟ ଜିଡିପି (GDP) ୨୨.୫୨ ଟ୍ରିଲିୟନ ଡଲାର ହେବ, ଯାହା ବିଶ୍ୱ ଅର୍ଥନୀତିର ପ୍ରାୟ ଏକ-ଷଷ୍ଠାଂଶ। ଏହି ଚୁକ୍ତି ଦ୍ୱାରା ଫାର୍ମାସ୍ୟୁଟିକାଲ୍ସ, ଇଞ୍ଜିନିୟରିଂ ସାମଗ୍ରୀ, ଅଟୋମୋଟିଭ୍ କମ୍ପୋନେଣ୍ଟ୍ସ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରପ୍ତାନି ବୃଦ୍ଧି ପାଇବ । ଏହା ଅଧିକ ନିବେଶ ଏବଂ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତରକୁ ମଧ୍ୟ ପ୍ରୋତ୍ସାହନ ଦେବ ।
ପଞ୍ଚମ ଫାଇଦା- ଭାରତରେ ବ୍ୟାପକ ପୁଞ୍ଜିନିବେଶ ହେବ । ଭାରତ ବ୍ୟତୀତ ଏହି ଚୁକ୍ତି ୟୁରୋପୀୟ ସଂଘକୁ ମଧ୍ୟ ବହୁତ ଲାଭ ଦେବ। ଆର୍ଥିକ ବର୍ଷ ୨୦୨୪ରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟର ମୂଲ୍ୟ ୧୩୫ ବିଲିୟନ ଡଲାର ଥିଲା। ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଆଇଏମଏଫ (IMF) ର ଅନୁମାନ ଅନୁଯାୟୀ, ୨୦୨୪-୨୬ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତ ରହିବ। ଭାରତର ୧.୪୬ ବିଲିୟନ ଜନସଂଖ୍ୟା ୟୁରୋପୀୟ ସଂଘକୁ ଏକ ବିଶାଳ ବଜାର ପ୍ରଦାନ କରିବ, ଯାହା ସେମାନଙ୍କୁ ଆମେରିକା କିମ୍ବା ଚୀନ୍ ସହ ଜଡ଼ିତ ବାଣିଜ୍ୟିକ ଝଟକାରୁ ରକ୍ଷା କରିବାରେ ସାହାଯ୍ୟ କରିବ। ଏହି ଚୁକ୍ତି ଦ୍ୱାରା ଭାରତର ଫାର୍ମାସ୍ୟୁଟିକାଲ୍ସ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ନିବେଶର ବନ୍ୟା ଛୁଟିବ।
୨୦୧୩ରୁ ବନ୍ଦ ରହିଥିବା ଏହି ଆଲୋଚନା ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏହି ଐତିହାସିକ ଡିଲ୍ ସମ୍ପୂର୍ଣ୍ଣ ହେଲେ ଭାରତ ବିଶ୍ୱ ଅର୍ଥନୀତିର ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ।