Latest Odisha News

BREAKING NEWS

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଆୟୋଜିତ

ଭୁବନେଶ୍ୱର: ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା । ତେବେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଏକ ଐତିହ୍ୟ ଗଣଦୌଡ଼ର ଆୟୋଜନ ହୋଇଯାଇଛି । ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଯୁବପିଢ଼ିଙ୍କୁ ଏହାର ଗୌରବମୟ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ହେଉଛି ଆଜିର ଗଣଦୌଡ଼ର ମୁଖ୍ୟ ଲକ୍ଷ୍ୟ ।

ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଥମ ଥର କରି ପାଳନ କରାଯାଉଥିବା ଓଡ଼ିଆ ପକ୍ଷ ଏବଂ ଆଜିର ଗଣଦୌଡ଼ରେ ସାମିଲ ହୋଇ ସମସ୍ତ ଐତିହ୍ୟସ୍ଥଳୀର ସଂରକ୍ଷଣ କରିବା ସହିତ ଆମ ଓଡ଼ିଶାର କଳା-ଶିଳ୍ପ-ସ୍ଥାପତ୍ୟ-ଐଶ୍ବର୍ଯ୍ୟକୁ ପୁନଶ୍ଚ ବିଶ୍ୱବିଦିତ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ବୋଲି କହିଛନ୍ତି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଆଜି ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହା ଭୁବନେଶ୍ୱରର ଖଣ୍ଡଗିରି ଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟୁଡ଼ିଓ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଖଣ୍ଡଗିରିର ଗୌରବମୟ ଇତିହାସକୁ ଜୀବନ୍ତ କରି ଗଢ଼ି ତୋଳିବା ପାଇଁ ଏହି ଗଣଦୌଡ଼ରେ ଆଜି ଶହଶହ ଲୋକ ସାମିଲ ହୋଇଥିଲେ । ଏଥିସହିତ ଓଡ଼ିଆ ପକ୍ଷ ପାଳନର ଉତ୍ସାହ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବା ସହିତ ସମସ୍ତେ ଆଜି ଓଡ଼ିଆ ପିଠାପଣା ଖାଇ ଅତ୍ୟନ୍ତ ଆନନ୍ଦର ସହିତ ଏହି ଗଣଦୌଡ଼ ଉତ୍ସବକୁ ପାଳନ କରିଥିଲେ । ଏଥିସହିତ ଖଣ୍ଡଗିରିର ସୌନ୍ଦର୍ଯ୍ୟ ଏବଂ ବୈଭବକୁ ଆହୁରି ଉଜ୍ଜୀବିତ କରିବା ପାଇଁ ସମସ୍ତେ ଏଠାରେ ନିଜର ସେଲ୍ଫି ଉଠାଇ ଏହାକୁ ଓଡ଼ିଆ ପକ୍ଷ ପାଳନ ୱେବସାଇଟ୍ (ଓଡ଼ିଆପକ୍ଷ. କମ୍)ରେ ଅପଲୋଡ଼ ମଧ୍ୟ କରିଥିଲେ ।

Comments are closed.