Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ସାଜିଛି ମଣିନାଗ ପାହାଡ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ନୟାଗଡ: ଆସିଛି ପର୍ଯ୍ୟଟନ ଋତୁ । ଶୀତଋତୁ ଆସୁ ଆସୁ ପର୍ଯ୍ୟଟନ କ୍ଷେତ୍ରରେ ଜମେ ପର୍ଯ୍ୟଟକଙ୍କ ଭିଡ । କର୍ମମୟ ଜୀବନରୁ ଟିକିଏ ଫୁରସତ୍ ପାଇବା ପାଇଁ ପ୍ରକୃତି କୋଳରେ ଏକ ବିଶେଷ ମୂହୁର୍ତ୍ତ ବିତେଇବାକୁ କାହିଁ କେତେ ଦୁରରୁ ଧାଇଁ ଆସନ୍ତି ପର୍ଯ୍ୟଟକ । ଧରଣୀ ରାଣୀ ସତେ ଯେପରି ବର୍ଷସାରା ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଥାଏ । କୁଳୁ କୁଳୁ ଝରଣା ପାଣି ସହ ପାହାଡ ପର୍ବତରେ ଟିକିଏ ସମୟ ବିତାଇବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ।

ତେବେ ଆଜି ଆମେ ଆପଣଙ୍କୁ ନେଇଯାଉଛୁ ଓଡ଼ିଶାର ଗୋଟେ ବିଶେଷ ସ୍ଥାନକୁ । ନୟାଗଡ ଜିଲ୍ଲାର ମଣିନାଗ ପାହାଡକୁ । ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ସତେ ଉପର ମଣିନାଗ । ସୁଉଚ୍ଚ ପର୍ଵତରୁ ସୁନ୍ଦର ଐତିହାସିକ ସହର ରଣପୁରଗଡ଼କୁ ଦେଖିବାକୁ କାହାର ଅବା ଇଚ୍ଛା ନାହିଁ । ଯୁଆଡ଼େ ଦେଖିବେ ଚାରିଆଡେ ସୁଉଚ୍ଚ ପର୍ବତମାଳା । ନୟାଗଡ଼ ଟାଉନ୍ ଠାରୁ ୨୮ କିଲୋମିଟର ଦୂରରେ ରଣପୁର ଗଡ ଅବସ୍ଥିତ । ସେଠାରେ ରହିଛି ମଣିନାଗ ପାହାଡ । ଆଉ ସେଇ ମଣିନାଗ ପାହାଡ ଶୀର୍ଷରେ ବିରାଜମାନ କରିଛନ୍ତି ଦେବୀ ମା ମଣିନାଗ । ଏହି ପାହାଡରେ ତଳ ଭାଗରେ “ତଳ ମଣିନାଗ” ଏବଂ ଉପର ଭାଗରେ “ଉପର ମଣିନାଗ” ପୀଠ ଅଛି । ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲା । ଏହା ଥିଲା ତନ୍ତ୍ର ପୀଠ । ମାଘ ମାସରେ ନରବଳି ଦିଆଯାଉଥିଲା । ୧୯୩୯ ମସିହାଠାରୁ ଏହି ଘୃଣ୍ୟ ବଳିପ୍ରଥା ବନ୍ଦ ରହିଛି । ଏବେ ପର୍ଯ୍ୟଟକଙ୍କ ମନୋରଞ୍ଜନର ସର୍ବୋତ୍ତମ ବିକଳ୍ପ ଏହି ମଣିନାଗ ପର୍ବତ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ

https://odishasambad.in/kankan-shikhari-the-holy-temple-of-lord-jagannath-in-chilika-1/

ଏଠାରେ ସୂର୍ଯ୍ୟାସ୍ତ ସମୟରେ ହିଲ୍ ଭ୍ୟୁ ବହୁତ ସୁନ୍ଦର ଅଟେ । ସୁନ୍ଦର ପ୍ରାକୃତିକ ବାତାବରଣ ଏବଂ ଚମତ୍କାର ହିଲ୍ ଦୃଶ୍ୟ ପରିଦର୍ଶକଙ୍କୁ ଆକର୍ଷିତ କରିଥାଏ । ସେହି ପାହାଡର ଶିଖରରେ ପହଞ୍ଚିବାକୁ ୧୭ଟି ଘାଟ ଅଛି । ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଘଞ୍ଚ ଜଙ୍ଗଲ ଶୀତ ସନ୍ଧ୍ୟାରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସକାଳର ଥଣ୍ଡା ଥଣ୍ଡା ପବନ ଆଉ ଅପରାହ୍ନରେ ପାହାଡ଼ ଉହାଡ଼ରୁ ସୂର୍ଯ୍ୟଦେବତାଙ୍କ ରକ୍ତିମ ଆଭା ପର୍ଯ୍ୟଟକଙ୍କୁ ମନ୍ତମୁଗ୍ଧ କରୁଛି । ସେହିଭଳି ବର୍ଷା ପରେ ଏବଂ ସକାଳର ଘନ କୁହୁଡି ପର୍ବତମାଳାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ । ବର୍ତ୍ତମାନ ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ଆଉ ସେଲ୍ଫି ପଏଣ୍ଟ ସାଜିଛି ଉପର ମଣିନାଗ ।

Leave A Reply

Your email address will not be published.