Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ‘କାଙ୍କଣ ଶିଖରୀ’, ଯେଉଁଠି ମହାପ୍ରଭୁଙ୍କୁ ପ୍ରସାଦ କରାଯାଏ କାଙ୍କଣ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ଖୋର୍ଦ୍ଧା: ଓଡ଼ିଶାରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ରହିଛି । ଯେଉଁଠିକୁ ଶୀତଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳେ । ସେହିପରି ଏକ ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ହେଉଛି ‘କାଙ୍କଣ ଶିଖରୀ’ । ଏହା ଚିଲିକା ହ୍ରଦ ମଝିରେ ରହିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବ୍ଲକ ଅନ୍ତର୍ଗତ ନଈରୀ ପଞ୍ଚାୟତ ନିକଟରେ ରହିଛି ଏହି କ୍ଷେତ୍ରଟି । କେବଳ ଶୀତ ନୁହେଁ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ।

କାଙ୍କଣଶିଖରୀ ଏକ ଟାପୁ ମଧ୍ୟରେ ରହିଥିବାରୁ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଚିଲିକାକୁ ଆସୁଥିବା ବିଭିନ୍ନ ବିଦେଶୀ ପକ୍ଷୀ ଦେଖିବେ । ମନ୍ଦିର ମଧ୍ୟରେ ଥିବା ନଡ଼ିଆ ଗଛ ଗୁଡ଼ିକରେ ଶ୍ରୀ ଜଗନ୍ନାଥଙ୍କର ସୁନ୍ଦର ସୁନ୍ଦର କଳାକୃତିକୁ ଉପଭୋଗ କରିପାରିବେ । ସବୁଠାରୁ ବଡ଼କଥା ହେଲା ଟାପୁ ମଧ୍ୟରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଦେଖିପାରିବେ । ଏହି ମନ୍ଦିରରେ ଚଳନ୍ତି ବିଗ୍ରହ ଏବଂ ପୁରୀ ରଥାଯାତ୍ରା ସମୟର ନନ୍ଦିଘୋଷ ରଥର ଚକ ଦେଖିବାକୁ ପାଇବେ । କାଙ୍କଣ ଶିଖରୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳାକ୍ଷେତ୍ର କୁହାଯାଏ । କାଙ୍କଣ ଶିଖରୀକୁ ନେଇ ଏକ ସୁନ୍ଦର କାହାଣୀ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ:

https://odishasambad.in/baliharachandi-peeth-in-brahmagiri-attracts-tourists/

କୁହାଯାଏ ୧୭୭୧ ମସିହା ପୂର୍ବରୁ ବାରମ୍ବାର ମୋଗଲମାନେ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରୁଥିଲେ । ଏହି କାରଣରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଉଥିଲା । ମୋଗଲମାନଙ୍କର ୧୮ ଥର ଆକ୍ରମଣ ସମୟରେ ବଡ଼ ଦେଉଳରୁ ତିନିଠାକୁର ଶ୍ରୀ ଜଗନ୍ନଥ, ଶ୍ରୀ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କୁ ନେଇ ନଈରୀ ନିକଟ ଚିଲିକା ମଧ୍ୟରେ ରହିଥିବା ଟାପୁରେ ଲୁଚାଇ ରଖାଯାଇଥିଲା । ଚିଲିକା ଜଳ ଘେରରେ ରହିଥିବା ଛୋଟିଆ ପାହାଡ଼ରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିବାକୁ କିଛି ମିଳିନଥିଲା । ସେହି ପାହାଡ଼ରେ ଫଳିଥିବା କାଙ୍କଣ ଫଳକୁ ମହାପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିଲା । ସେବେଠାରୁ ଏହି ପାହାଡ଼ର ନାଁ କାଙ୍କଣ ଶିଖରୀ ହୋଇଗଲା । ଏଠାରେ ମହାପ୍ରଭୁଙ୍କୁ କାଙ୍କଣ ଫଳ ଭୋଗ ଲାଗିହେବା ପରଠାରୁ ପୁରୀରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦରେ କାଙ୍କଣ ବ୍ୟବହାର କରାଯାଉଛି । ଚାରି ମାସ ରହଣି ପରେ ନଈରୀ ଗ୍ରାମରେ ଥିବା ଏକ ମନ୍ଦିରକୁ ତିନି ଠାକୁରଙ୍କୁ ନିଆଯାଇଥିଲା । ୨୦୧୬ ମସିହାରେ ନଈରୀ ଗ୍ରାମବାସୀଙ୍କୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୦୧୫ ମସିହାରେ ଅନୁଷ୍ଠିତ ନବକଳେବର ସମୟର ନନ୍ଦିଘୋଷ ରଥର ଚକାଟିଏ ପୂଜାର୍ଚ୍ଚନା ପାଇଁ ପ୍ରଦାନ କରିଥିଲେ । ଏହା ପରଠାରୁ କାଙ୍କଣ ଶିଖରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।

ପୁରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ସମସ୍ତ ରୀତିନୀତି ଅନୁସାରେ ଏଠାରେ ତିନିଠାକୁରଙ୍କର ପୂଜାର୍ଚ୍ଚନା କରାଯାଉଛି । ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁର ଡଙ୍ଗାରେ ବସି ନଈରୀ ଗ୍ରାମକୁ ଯାଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଭୁବନେଶ୍ଵରଠାରୁ କାଙ୍କଣ ଶିଖରୀର ଦୂରତା ପ୍ରାୟ ୮୦ କିଲୋମିଟର । ବ୍ରହ୍ମପୁରଠାରୁ ଏହାର ଦୂରତା ରହିଛି ପ୍ରାୟ ୯୦ କିଲୋମିଟର । ଭୁବନେଶ୍ଵରଠାରୁ ୭୫ କିଲୋମିଟର ଅତିକ୍ରମ କରିବା ପରେ ‘ନାଚୁଣୀ’ ବଜାରରେ ଓହ୍ଲାଇବାକୁ ପଡ଼ିବ । ନାଚୁଣୀଠାରୁ ନଈରୀର ଦୂରତା ୫ କିଲୋମିଟର ରହିଛି । ନଈରୀରୁ ଡଙ୍ଗା ସାହାଯ୍ୟରେ ଚିଲିକା ମଧ୍ୟରେ ଥିବା କାଙ୍କଣ ଶିଖରୀକୁ ଯିବାକୁ ପଡ଼ିବ ।

Leave A Reply

Your email address will not be published.