Latest Odisha News

କାହିଁକି ମାଟି ହାଣ୍ଡି ଭିତରେ ପୂଜା ପାଆନ୍ତି ମାଆ ?

ପିପିଲି: ଓଡିଆ ଘରେ ବାର ମାସରେ ତେର ପର୍ବ ପାଳିତ ହୁଏ  । ଓଡିଶାରେ ଅନେକ ମଠ, ମନ୍ଦିର , ପର୍ଯ୍ୟଟନସ୍ଥଳୀ ରହିଛି । ଯେଉଁ ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଏ  । ସେଥିମଧ୍ୟରୁ ଏପରି ଏକ ସ୍ଥାନ ହେଉଛି ମା ଉତ୍ତରାୟଣୀଙ୍କ ପୀଠ  । ଯାହା ପୁରୀ ଜିଲ୍ଲା ସାତଶଙ୍ଖରେ ଅବସ୍ଥିତ ।  ପ୍ରତ୍ୟେକ ଦିନ ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ମାଆଙ୍କୁ ଦର୍ଶନ କରିବା ଲାଗି ଏଠାକୁ ଆସନ୍ତି । କାହିଁ କେଉଁ ଆବାହମାନ କାଳରୁ ମାଆ ଏଠାରେ ପୂଜା ପାଇ ଆସୁଛନ୍ତି ।

ଏଠାକାର ବିଶେଷତ୍ବ ହେଉଛି ଏଠାରେ ମାଆ ଏକ ମାଟି ହାଣ୍ଡି ଭିତରେ ପୂଜା ପାଆନ୍ତି । ପୁରୀ ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମଦେବଙ୍କ ରାଜତ୍ୱ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପୌରାଣିକ ମତ ଅନୁଯାୟୀ ରାଜା ମାଆଙ୍କୁ  ଜବନମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ଏକ ବଡ ମାଟି ହାଣ୍ଡିରେ ଘୋଡାଇ ରଖିଥିଲେ  । ଆଉ  ସେହିଦିନଠାରୁ ଠାକୁରାଣୀ ଉକ୍ତ ମାଟି ହାଣ୍ଡି ମଧ୍ୟରେ ପୂଜା ପାଇ ଆସୁଛନ୍ତି ।

ଦ୍ୱିପ୍ରହରରେ ମାଆଙ୍କ ନିକଟରେ ଖେଚୁଡି ଭୋଗ ଲାଗି କରାଯାଇଥାଏ  ।  ମା’ଙ୍କ ପ୍ରିୟ ଭୋଗ ହେଉଛି ଅଲଣା ବିରି ଜାଉ  ।  ଏକ ସ୍ୱତନ୍ତ୍ର ପ୍ରଣାଳୀରେ ଏହାକୁ ପ୍ରସ୍ତୁତ କରାଯାଇଥାଏ ।  ଯେଉଁଥିରେ ଆଦୌ ଲୁଣ ବ୍ୟବହାର କରାଯାଇନଥାଏ। ମା’ଉତ୍ତରାୟଣୀଙ୍କ ପାର୍ଶ୍ବ ଦେବୀ ଭାବେ ବନଦୁର୍ଗା ଓ କନକ ଦୁର୍ଗା ପୂଜା ପାଉଥିବା ବେଳେ ତାଙ୍କ ନିକଟରେ ୧୯୯୬ ମସିହାରୁ ବଳି ପ୍ରଥା ବନ୍ଦ ହୋଇଯିବା ପରେ ଏବେ ମାଛ ବଳି ଦିଆଯାଉଥିବା ବେଳେ ପୋଡା ମାଛ ଭୋଗ କରାଯାଉଛି।

Leave A Reply

Your email address will not be published.