ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସ୍ତମ୍ଭ : ଐତିହ୍ୟ ଐଶ୍ବର୍ଯ୍ଯ-୧
ଯେ କୌଣସି ପ୍ରାଚୀନ ସଭ୍ୟତାର ସାଂସ୍କୃତିକ ଇତିହାସ ଅବଲୋକନ କଲେ ତା’ର ବୌଦ୍ଧିକ ସମ୍ପଦ ଗୁଡିକ ଆପଣାଛାଏଁ ପ୍ରକଟ ହୋଇଥାଏ । ସେହି ବୌଦ୍ଧିକ ସମ୍ପଦ ଗୁଡିକର ସଠିକ୍ ଅଧ୍ୟୟନ ସମ୍ପୃକ୍ତ ସଭ୍ୟତାର ଇତିହାସରେ ପ୍ରତିଫଳିତ ହୁଏ । ଏହାର ପ୍ରମାଣ ସ୍ବରୂପ ଭାରତ ଭୂଖଣ୍ଡରେ ରହିଥିବା କାଳଜୟୀ ସ୍ଥାପତ୍ୟ, ସୂକ୍ଷ୍ମାତିସୂକ୍ଷ୍ମ ଭାସ୍କର୍ଯ୍ୟ, ଆକର୍ଷଣୀୟ ଚିତ୍ରକଳା ତଥା ଜ୍ଞାନର ଭଣ୍ଡାର ସଦୃଶ ପାଣ୍ଡୁଲିପି ବିଭବର ସାମୂହିକ ଉଦାହରଣ ଯଥେଷ୍ଟ ।
ଓଡ଼ିଶାରେ ଗଚ୍ଛିତ ତାଳପତ୍ର ପୋଥି ସମ୍ପଦ ଆମ ଉଜ୍ଜଳମୟ ବୌଦ୍ଧିକ ଐତିହ୍ୟର ଜୟଗାନ କରେ। ଏଥିରେ ଉତ୍କୀର୍ଣ୍ଣ ପ୍ରାଚୀନ ସାହିତ୍ୟ ତଥା ବିଭିନ୍ନ ଶାସ୍ତ୍ରାଦି ଆମର ପାରମ୍ପାରିକ ଜ୍ଞାନ ଭଣ୍ଡାରର ଜ୍ବଳନ୍ତ ନିଦର୍ଶନ। ବିଶେଷକରି ପୁରାଣ ଓ କାବ୍ୟାଦି ବିଷୟକ ପୋଥି ଗୁଡିକରେ ପାଠ ସହିତ ଚିତ୍ରଣ ସଂଯୋଗ ଦ୍ବାରା ଏହି ବିଭାଗର ପୋଥିଗୁଡିକ ମହିମା ମଣ୍ଡିତ ହୋଇଥାଏ।
ତାଳପତ୍ରରେ ଖୋଦନ ପ୍ରକ୍ରିୟା ଓଡ଼ିଶାରେ ଏକ ସମୃଦ୍ଧ ପରମ୍ପରା। ଲିଖନ କର୍ମର ଅନ୍ୟ ମାଧ୍ୟମ, ଯଥା ଭୁର୍ଜପତ୍ର, ତାମ୍ରପତ୍ର, ହାତୀଦାନ୍ତ ବା କାଠ ପ୍ଲେଟର ଉଦାହରଣ ଅତି ନଗଣ୍ୟ ମାତ୍ର ତାଳପତ୍ରରେ ଲିଖିତ ପାଣ୍ଡୁଲିପିର ଆଦର ପୁରାକାଳରୁ ରହିଆସିଛି।
ଉପକୂଳବର୍ତ୍ତୀ ଅଞ୍ଚଳରେ ଆଦ୍ର ଜଳବାୟୁରେ ତାଳପତ୍ରକୁ ଯେତେ କଷକଲେ ମଧ୍ୟ ଏହା କୀଟ ଦଂଶନ ଯୋଗୁ ନଷ୍ଟ ହେବା ଅତି ସାଧାରଣ କଥା। ଏଣୁ ଏଗୁଡିକୁ କିଛି ବର୍ଷ ବ୍ୟବଧାନରେ ପୁନଃଲିଖନ କରାଯିବା ଏକ ପ୍ରଥା ଥିଲା ଯାହା ଜାତି କୁଳ ନିର୍ବିଶେଷରେ ଅନେକ ଲୋକଙ୍କୁ ଏହି କଳା ଆପଣେଇବାକୁ ସୁଯୋଗ ସୃଷ୍ଟି କରିଥିଲା।
ଆମ ରାଜ୍ୟରେ ଗଚ୍ଛିତ ବିଶାଳ ପୋଥି ସମ୍ଭାରର ସିଂହଭାଗ ଓଡିଶା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ବରରେ ରହିଅଛି। ଏହା ପ୍ରାୟ ୫୦,୦୦୦ ସଂଖ୍ୟାରେ ରହିଛି। ଏଥିରେ ସଂଗୃହୀତ ତ୍ରୟୋଦଶ ଶତାବ୍ଦୀରେ ଲିଖିତ ଅଭିନବ ଗୀତ ଗୋବିନ୍ଦ ପୋଥି ସର୍ବପ୍ରାଚୀନ ପୋଥିର ମାନ୍ୟତା ପାଇଅଛି। ଏହା ବ୍ୟତୀତ ସାହିତ୍ୟ, ଗଣିତ, ପୁରାଣ, ଜ୍ୟୋତିଷଶାସ୍ତ୍ର, ଦର୍ଶନ, ସଂଗୀତ, ତନ୍ତ୍ରଶାସ୍ତ୍ର, ଆୟୁର୍ବେଦ, ଜ୍ୟାମିତି ଓ ବ୍ୟାକରଣାଦି ବିଷୟରେ ମୌଳିକ ରଚନା ତଥା ନକଲ ପୋଥି ଆକାରରେ ରହିଅଛି।ଏହି ବୌଦ୍ଧିକ ବୈଭବ ଯୋଗୁଁ ଆମ ରାଜ୍ୟ ସାଂସ୍କୃତିକ କ୍ଷେତ୍ରରେ ସମୃଦ୍ଧ ହେବା ସହିତ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରାପ୍ତ ହୋଇଛି। ସାରା ବିଶ୍ବର ବିଭିନ୍ନ ଦେଶରୁ ଗବେଷକମାନେ ଆସି ଆମ ରାଜ୍ୟରେ ବିଭିନ୍ନ ସଂଗ୍ରହାଳୟ ତଥା ପାଠାଗାରରେ ସଂରକ୍ଷିତ ପୋଥି ସମୁହର ଅଧ୍ୟୟନ ପୂର୍ବକ ନିଜର ଗବେଷଣା କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ସମର୍ଥ ହେଉଛନ୍ତି। କହିବା ବାହୁଲ୍ୟ ଏହି ପୋଥି ସମ୍ପଦ ଆମ ଓଡ଼ିଆ ଭାଷାକୁ ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପାଇଁ ଆବେଦନ ପ୍ରକ୍ରିୟାରେ ଯଥେଷ୍ଟ ସହାୟ ହୋଇଛି।
ରାଜ୍ୟ ସଂଗ୍ରହାଳୟ ବ୍ୟତୀତ କେଦାରନାଥ ଗବେଷଣା କେନ୍ଦ୍ର, ଭୁବନେଶ୍ବର, ଉତ୍କଳ ବିଶ୍ୱବିଦ୍ୟାଳୟ ପାଠାଗାର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଠାଗାର, ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଠାଗାର, ଜୁବିଲି ଲାଇବ୍ରେରୀ, ବାରିପଦା ତଥା ନୟାଗଡ ଜିଲ୍ଲାର ନୁଆଗାଁଠାରେ ସ୍ବର୍ଗତଃ ଦାଶରଥି ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ ଅରବିନ୍ଦ ସଂଗ୍ରହାଳୟରେ ସହସ୍ରାଧିକ ସଂଖ୍ୟାରେ ପାଣ୍ଡୁଲିପି ସଂରକ୍ଷିତ। ଆହୁରି ରାଜ୍ୟରେ ସ୍ଥିତ ଅନେକ ମଠ, ମନ୍ଦିର, ଗାଦିଘର ତଥା ବ୍ୟକ୍ତିଗତ ସଂଗ୍ରାହକଙ୍କ ନିକଟରେ ଅନେକ ସଂଖ୍ୟକ ପୋଥି ଏବେ ମଧ୍ୟ ରହିଥିବା ଜଣାଯାଏ। ଆମ ରାଜ୍ୟରେ ଗଚ୍ଛିତ ପୋଥି ମଧ୍ୟରେ ଅଧିକ ସଂଖ୍ୟକ ଭାଗବତ, ସାରଳା ମହାଭାରତ,କାର୍ତ୍ତିକ ପୁରାଣ ଓ ଗୀତ ଗୋବିନ୍ଦ ଆଦି ରହିଥିବାରୁ ଏଗୁଡିକ ସାଧାରଣ ବର୍ଗଙ୍କ ଦ୍ବାରା ବିଶେଷ ଆଦୃତ ହେଉଥିବା ପ୍ରମାଣିତ ହୁଏ।
ପୋଥି ସଂଗ୍ରହ
ବିଭିନ୍ନ ସ୍ରୋତରୁ ପୋଥି ସମ୍ଭାରର ଏକତ୍ରିକରଣ ଏତେ ସହଜ କାର୍ଯ୍ୟ ନୁହେଁ। ପ୍ରାଚୀନ, ରାଜପ୍ରାସାଦ,ଅଭିଜାତ ପରିବାରରେ ରହିଥିବା ପୋଥି ବିଷୟରେ ଅନୁସନ୍ଧାନ କରି ପୋଥିର ପ୍ରକୃତ ମାଲିକ ବା ମାର୍ଫତଦାରଙ୍କୁ ପୋଥି ଦାନ ପାଇଁ ନିବେଦନ କରାଯାଏ। ସ୍ଥଳ ବିଶେଷରେ ଏଗୁଡିକ କ୍ରୟ ମଧ୍ୟ କରାଯାଏ।
ଆମ ରାଜ୍ୟରେ ସ୍ବାଧୀନତାର ପରବର୍ତ୍ତୀ କାଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ପ୍ରୋତ୍ସାହନରେ ପୋଥି ସଂଗ୍ରହ ଓ ସଙ୍କଳନ ଅଭିଯାନ ଆରମ୍ଭ ହୁଏ ।ସେଥିରେ ଯେଉଁ ଦେଶପ୍ରାଣ ଗବେଷକ, ସଂଗ୍ରାହକ ନିଜକୁ ସାମିଲ୍ କରିଥିଲେ ସେମାନଙ୍କ ମଧ୍ୟରେ ସ୍ବର୍ଗତଃ କେଦାରନାଥ ମହାପାତ୍ର, ଗୋପାଳ ଚନ୍ଦ୍ର ପ୍ରହରାଜ, ବିନୋଦ କାନୁନଗୋ, ବାମଣ୍ଡା ରାଜା ସୁବଳ ଦେବ, ମୟୂରଭଞ୍ଜ ମହାରାଜା ରାମଚନ୍ଦ୍ର ଭଂଜଦେଓ, ପାରଳାରାଜା କୃଷ୍ଣ ଚନ୍ଦ୍ର ଗଜପତି, ପଣ୍ଡିତ ନୀଳମଣି ମିଶ୍ର, ପଣ୍ଡିତ କାଶୀନାଥ ମିଶ୍ର, ପଣ୍ଡିତ ବାଞ୍ଛାନିଧି ମିଶ୍ର, ନାରାୟଣ ତ୍ରିପାଠୀ, ଶ୍ୟାମ ସୁନ୍ଦର ତ୍ରିପାଠୀ, ରଘୁନାଥ ମିଶ୍ର, ପଣ୍ଡିତ ସଦାଶିବ ରଥ ଶର୍ମା, ଦାଶରଥି ପଟ୍ଟନାୟକ, ପଣ୍ଡିତ ମାନ ଗୋବିନ୍ଦ ମହାସୁପକାର ଆଦିଙ୍କୁ ପ୍ରଥମେ ସ୍ମରଣ କରାଯାଏ ।ତାଳପତ୍ର ପାଣ୍ଡୁଲିପିର ମହତ୍ତ୍ଵ ବୁଝି ବହୁ ଶ୍ରମ ସ୍ବୀକାର ପୂର୍ବକ ସେଗୁଡିକର ସଂରକ୍ଷଣ ତଥା ଗବେଷଣା କ୍ଷେତ୍ରରେ ଏହି ପ୍ରତିଭାଧର ମାନଙ୍କ ଅନନ୍ୟ ଅବଦାନ ଏ ଜାତି ଭୁଲିବାର ନୁହେଁ। ଓଡିଶା ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ପୋଥି ସମୁହର ସିଂହଭାଗ ଏହି ମାନଙ୍କ ଉଦ୍ୟମରେ ସଂଗୃହୀତ ହୋଇଥିଲା ।
ପରବର୍ତ୍ତୀ କାଳରେ ବିଭିନ୍ନ ଗବେଷକ ଯଥା ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡଃ ସୀତାକାନ୍ତ ମହାପାତ୍ର, ଡଃ ସୁବାସ ପାଣି, ଡଃ ଜଗନ୍ନାଥ ପ୍ରସାଦ ଦାସ, ଅଜିତ ତ୍ରିପାଠୀ, ଡଃ ଦୀନନାଥ ପାଠୀ, ଡଃ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ, ଡଃ ଭାଗ୍ୟଲିପି ମଲ୍ଲ , ଡଃ ଗୌରାଙ୍ଗ ଚରଣ ଦାଶ ପ୍ରଭୃତିଙ୍କ ସମେତ ବିଦେଶୀ ଗବେଷକ ହେର୍ମାନ କୁଲକେ , ୱାଲିସ ବନେର , ଜୋଆନା ବିଲ୍ୱଲିଅମ୍ସ ପ୍ରଭୃତି ଅନେକ ଚିତ୍ରପୋଥିର ସଚିତ୍ର ସଂକଳନ ପ୍ରକାଶ କରିଛନ୍ତି। ଉପରୋକ୍ତ ସତୀର୍ଥ ସାଧକ ଗଣ ଆମ ଐତିହ୍ୟର ସ୍ବନାମଧନ୍ଯ ରକ୍ଷକ ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।
ପୋଥି ଚର୍ଚ୍ଚା ଏକ ବିଶାଳ ବିଷୟ। ତହିଁରେ ରହିଥିବା ବିଭିନ୍ନ ପର୍ଯ୍ୟାୟ ଯଥା ପ୍ରାଚୀନ ସାହିତ୍ୟ, ପାରମ୍ପରିକତା, ପ୍ରକୃତି ବର୍ଣ୍ଣନା, ସୂକ୍ଷ୍ମାତିସୂକ୍ଷ୍ମ ଚିତ୍ରଣର ସମୀକ୍ଷା , ନାରୀ ରୂପ ବର୍ଣ୍ଣନା, ଆଦିରସ ସମ୍ବନ୍ଧୀୟ ବନ୍ଧ ଚିତ୍ର ଆଦି ସହିତ ପାଠ୍ୟକ୍ରମରେ ପୋଥି ବିଜ୍ଞାନ ଓ ସଂରକ୍ଷଣ ପଦ୍ଧତି ବିଷୟ ପୃଥକ୍ ଆଲେଖ୍ୟର ଆଶା ରଖେ।
Comments are closed.