ଭୁବନେଶ୍ବର: ବହୁଚର୍ଚ୍ଚିତ ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲା । ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ ରଞ୍ଜନ ରାଉତ । ଦିଲ୍ଲୀରୁ ଗିରଫ ହେଲେ ଉଭୟ ଯୁବକ । ଏହି ଦୁର୍ଘଟଣା ପରେ ମା’ ଓ ଝିଅଙ୍କୁ ଉଦ୍ଧାର କରିବା ବଦଳରେ ଫେରାର ମାରିଥିଲେ ଦୁଇ ଯୁବକ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ ସୋହମ ରାଜ୍ ତ୍ରିପାଠୀ କାର୍ଯ୍ୟରତ ଥିବା ବେଳେ, ରୋହନ ରଞ୍ଜନ ରାଉତ ହେଲେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ ।
ସୂଚନାଯୋଗ୍ୟ, ଗତ ୯ ତାରିଖ ରାଖୀ ପୂର୍ଣ୍ଣିମା ଦିନ ଭୁବନେଶ୍ବରର ପାତ୍ରପଡ଼ା ଠାରେ ଜଣେ ମହିଳା ତାଙ୍କ ଝିଅକୁ ଧରି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା । ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାର ପରଦିନ ତଥା ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ ।
ଏହାପରେ ଅଭିଯୁକ୍ତମାନେ ଓଡ଼ିଶା ଛାଡ଼ି ହିମାଚଳପ୍ରଦେଶର ମନାଲି ବୁଲି ସାରି ଆସି ଦିଲ୍ଲୀରେ ଥିଲେ । କମିସନରେଟ ପୋଲିସ ଅଭିଯୁକ୍ତଙ୍କୁ ଆଜି ଦିଲ୍ଲୀରୁ ଗିରଫ କରିଛି ।
Comments are closed.