Latest Odisha News

BREAKING NEWS

ବାହାହେଲେ ଏଚଆଇଭି ଆକ୍ରାନ୍ତ, କନ୍ୟାଦାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ସାତ ଜନମର ସାଥୀ ହେଲେ ସଂକ୍ରମିତ । ଅଗ୍ନିକୁ ସାକ୍ଷୀ ରଖି ଉଭୟ ଏଚଆଇଭି ସଂକ୍ରମିତ ଉଭୟଙ୍କ ହାତ ଧରିଛନ୍ତି । ଏଭଳି ନିଆରା ବିବାହରେ ଜିଲ୍ଲାପାଳ କନ୍ୟାଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ରାଜ୍ୟର ସର୍ବାଧିକ ଏଚଆଇଭି ସଂକ୍ରମିତ ଥିବା ଗଞ୍ଜାମ ଜିଲ୍ଲାରେ ହୋଇଛି ଏଭଳି ପ୍ରେରଣାଦାୟୀ, ଉଦାହରଣ ସୃଷ୍ଟିକାରୀ ବିବାହ । ଗୋପାଳପୁରର ଶ୍ରଦ୍ଧା ସଞ୍ଜିବନୀ ଆଶ୍ରମରେ ଏହି ବିରଳ ବାହାଘର ସମ୍ପନ୍ନ ହୋଇଛି ।

ଏଡ୍ସ ଆକ୍ରାନ୍ତଙ୍କୁ ସମାଜ ଘୃଣ୍ୟ ଚକ୍ଷୁରେ ଦେଖୁଥିବା ବେଳ ଏ ଦୁହେଁ ଶପଥ ନେଇଛନ୍ତି ଜୀବନ ସାଥୀର । ବାଣ, ବାଜା ରୋଷଣୀରେ କମ୍ପି ଉଠିଥିଲ ଅଞ୍ଚଳ, ପଡ଼ିଥିଲା ହାତଗଣ୍ଠି । ବେଦୀରେ ବରକନ୍ୟା ସାଜି ବସିଥିଲେ ରବୀନ୍ଦ୍ର ଓ ପଦ୍ମା । ହସଖୁସିର ପରିବେଶ ମଧ୍ୟରେ ଉଭୟଙ୍କ ବିବାହ ଶନିବାର ସମ୍ପନ୍ନ ହୋଇଛି ।

HIV AIDS Infected Married In Ganjam

ରବୀନ୍ଦ୍ର ଓ ପଦ୍ମା ଉଭୟ ପିଲାଟି ଦିନରୁ ଏଚଆଇଭି ସଂକ୍ରମିତ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ବାଡ଼ତ୍ୟା ଗାଁରେ ରବୀନ୍ଦ୍ରଙ୍କ ଘର । ୨୦୦୧ ମସିହାରେ ଏଚଆଇଭି ଏଡ୍ସ ସଂକ୍ରମିତ ହୋଇ ରବୀନ୍ଦ୍ରଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ । ସମାନ ଘଟଣାକ୍ରମରେ ୨୦୦୪ରେ ଆଖି ବୁଜିଥିଲେ ପଦ୍ମାଙ୍କ ବାପା ଓ ମାଆ । ରବୀନ୍ଦ୍ରଙ୍କ ସହ ତାଙ୍କ ଭାଇ ଏଚଆଇଭି ସଂକ୍ରମିତ ଜଣାପଡ଼ିବା ପରେ ସେମାନେ ସଞ୍ଜିବନୀ ରହି ପାଠ ପଢୁଥିଲେ । ରବୀନ୍ଦ୍ରଙ୍କ ପରି ପଦ୍ମା ମଧ୍ୟ ବାପା, ମାଆଙ୍କ ମୃତ୍ୟୁ ପରଠାରୁ ସଞ୍ଜିବନୀରେ ରହି ଆସୁଛନ୍ତି ।

ବୟସ ବଢ଼ିବା ସହ ବଦଳିଛି ସମୟ । ସଞ୍ଜିବନୀରେ ପିଲାଦିନ କାଟିଥିବା ରବୀନ୍ଦ୍ର ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ନେଇ ଏବେ ହାଇଦ୍ରାବାଦରେ ଏକ ଟିଭି କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଏକାଠି ସଞ୍ଜିବନୀରେ ପାଠ ପଢ଼ି ବଢ଼ିଥିବା ରବୀନ୍ଦ୍ର ଓ ପଦ୍ମା ବିବାହ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ । ଯାହାକୁ ପ୍ରଶାସନ ସ୍ୱୀକୃତି ଦେବା ସହ ଖୋଦ୍ ଜିଲ୍ଲାପାଳ ବାହାଘର କରାଇଛନ୍ତି । ଜିଲ୍ଲାପାଳ କନ୍ୟାଦାନ କରିଥିବା ବେଳେ ସଞ୍ଜିବନୀ ଅନୁଷ୍ଠାନ କର୍ତ୍ତୃପକ୍ଷ ।

HIV AIDS Infected Married In Ganjam

ବିରଳ ବିବାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଏଥିସହ ଭୁବନେଶ୍ୱର ଆସିଲେ ତାଙ୍କୁ ଭେଟିବାକୁ ନବୀନ ନିମନ୍ତ୍ରଣ ଦେଇଛନ୍ତି । ବିବାହରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ସାମିଲ୍ ହୋଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ । ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଦମ୍ପତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛି । ଏଚଆଇଭି ସଂକ୍ରମିତଙ୍କ ବିବାହ ରୋଗୀକୁ ନୁହେଁ, ରୋଗକୁ ଘୃଣା କରିବା ଲାଗି ବାର୍ତ୍ତା ଦେଇଛି ।

Leave A Reply

Your email address will not be published.