ରାଉରକେଲା: ସେପ୍ଟମ୍ବର ୨୪ରେ ହକି ଇଣ୍ଡିଆ ଲିଗର ଖେଳାଳିଙ୍କ ନିଲାମ ହୋଇଛି । ଆସନ୍ତା ବର୍ଷ ଜାନୁୟାରୀ ୫ରୁ ଏହି ଲୋକପ୍ରିୟ ଲିଗ ଆରମ୍ଭ ହେବ । ନିଲାମ ପ୍ରକ୍ରିୟାରେ ୧୦୦ ପୁରୁଷ ଓ ୧୦୦ ମହିଳା ହକି ଖେଳାଳି ସାମିଲ ହୋଇଥିଲେ । ଗତ ସଂସ୍କରଣରେ ଓଡିଶାର ୨୦ ପୁରୁଷ ଓ ୬ ମହିଳା ଖେଳାଳି ବିଭିନ୍ନ ଦଳରେ ସାମିଲ ହୋଇଥିଲେ । ଏଥର କିନ୍ତୁ ପୁରୁଷ ବିଭାଗରେ ୧୬ ଓ ମହିଳାରେ ୪ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି ।
୩ଜଣ ଯୁବ ଖେଳାଳି ଏହି ଲିଗରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଛନ୍ତି । ବେଙ୍ଗଲ ଟାଇଗର ପକ୍ଷରୁ ୧୮ ବର୍ଷୀୟ ଗୋଲକିପର ବିବେକ ଲାକ୍ରାଙ୍କୁ ୨୩ ଲକ୍ଷ, ମିଡଫିଲ୍ଡର ଇଦ୍ରୋହିତ ଏକ୍କାଙ୍କୁ ତାମିଲନାଡୁ ଡ୍ରାଗନ୍ସ ୧୧ଲକ୍ଷରେ ଏବଂ ମହିଳା ବିଭାଗରେ ପୂଜା ସାହୁଙ୍କୁ ବେଙ୍ଗଲ ଟାଇଗର୍ସ ୧୧ ଲକ୍ଷରେ ଦଳରେ ନେଇଛି ।
ଚଳିତ ବର୍ଷ ଲିଗରେ ପୁରୁଷ ବିଭାଗରେ ଓଡିଶାର ଅମିତ ରୋହୀଦାସ, ଆନନ୍ଦ ଲାକ୍ରା, ସୁଶୀଲ ଧାୱନ, ଇଦ୍ରୋହିତ ଏକ୍କା, ପ୍ରତାପ ଲାକ୍ରା, ରୋହିତ କୁଲୁ, ରୋଶନ କୁଜୁର, ଦୀପକ ପ୍ରଧାନ, ଅମିତ ଟପ୍ପୋ, ଶୀଲାନନ୍ଦ ଲାକ୍ରା, ଅମନଦୀପ ଲାକ୍ରା, ନୀଲମ ସଞ୍ଜୀପ ଖେସ, ଅନମୋଲ ଏକ୍କା, ପ୍ରଶାନ୍ତ ବାର୍ଲା, ସୁଦୀପ ଚିରମୋକୋ, ବିବେକ ଲାକ୍ରା ଏବଂ ମହିଳା ବିଭାଗରେ ଆଜମିନା କୁଜୁର, ସୁନେଲତା ଟପ୍ପୋ, ପୂଜା ସାହୁ ଓ ଜ୍ୟୋତି ଛେତ୍ରୀ ସ୍ଥାନ ପାଇଛନ୍ତି ।
ରୋଶନ ମିଞ୍ଜ, ବୀରେନ୍ଦ୍ର ଲାକ୍ରା, ଦୀପଶାନ ତିର୍କି, ସୁନୀଲ ଜୋଜୋ, ସୁ ନୀତ ଲାକ୍ରା, ମୁକେଶ ଟପ୍ପୋ, ସାହିଲ ନାୟକ, ଦୀପଗ୍ରେସ ଏକ୍କା, ମାଧୂରୀ କିଣ୍ଡୋ ଓ ଅଞ୍ଜଳୀ ବାରୁଆଙ୍କୁ ସୁଯୋଗ ମିଳିନି । ଯାହା କି ଏକ ଚିନ୍ତାର ବିଷୟ । ଓଡିଶା ଖେଳାଳିଙ୍କ ଦକ୍ଷତାର ଅଭାବ ରହିଛି ନାଁ ସେମାନଙ୍କୁ ଅଣଦେଖା କରାଯାଉଛି ବୋଲି ପ୍ରଶ୍ନ ଉଠିଛି । ଏଥର ଗୋନସିକା ଓ ୟୁପି ରୁଦ୍ରସ ଲିଗରୁ ଓହରି ଯାଇଛନ୍ତି । ସେହିପରି ଗତ ସଂସ୍କରଣର ମହିଳା ବିଭାଗରେ ଚାମ୍ପିୟନ ହୋଇଥିବା ଓଡିଶା ୱାରିୟର୍ସ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଓହରିଯାଇଛି । ରାଂଚୀ ରୟାଲ୍ସ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ଏବଂ ହକି ଗଭର୍ଣ୍ଣିଂ କାଉନ୍ସିଲ ଟିମ ନୂତନ ଭାବେ ସାମିଲ ହୋଇଛନ୍ତି ।
Comments are closed.