Latest Odisha News

BREAKING NEWS

ହକି ବିଶ୍ୱକପ: ସେମିରେ ପ୍ରବେଶ ପାଇଁ ଏବେ ବି ଭାରତ ନିକଟରେ ରହିଛି ସୁଯୋଗ

ଆମଷ୍ଟେଲଭିନ: ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍‌ରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଭାରତର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇ ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନି । ଭଲ ପ୍ରଦର୍ଶନ ଏବଂ କିଛି ମାତ୍ରାରେ ଭାଗ୍ୟ ସହାୟ ହେଲେ ଭାରତର ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରହିବ । ପୁଲ୍-ଇରେ ଭାରତ ଅତ୍ୟନ୍ତ ଜଟିଳ ଗାଣିତିକ ସମୀକରଣ ଉପରେ ନିର୍ଭର କରୁଛି । ଗ୍ରୁପ୍ ପର‌୍ୟ୍ୟାୟରେ ନେଦରଲ୍ୟାଣ୍ଡସ ନିକଟରୁ ୧-୩ ଗୋଲ୍‌ରେ ପରାଜିତ ହେବା ପରେ, ସୋମବାର ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ଭାରତ ସେମିଫାଇନାଲ ଯିବାର ଗାଣିତିକ ସମୀକରଣ:  ଭାରତ ଯଦି ଆର୍ଜେଣ୍ଟିନାକୁ ୩-୦ ଗୋଲ୍‌ରେ ହରାଏ,  ଏହାପରେ ଅନ୍ୟ ମ୍ୟାଚ୍‌ରେ ଇଂଲଣ୍ଡକୁ ନେଦରଲ୍ୟାଣ୍ଡସ ନିକଟରୁ ଅତିକମ‌ରେ ୨-୦ ଗୋଲ୍‌ରେ ହାରିବାକୁ ପଡ଼ିବ । ଏହା ହେଲେ ଭାରତ, ଇଂଲଣ୍ଡ ଓ ଆର୍ଜେଣ୍ଟିନା ୩ ପଏଣ୍ଟ ଲେଖାଏଁ ପାଇବେ, ମାତ୍ର ଭାରତ ଭଲ ଗୋଲ୍ ପାର୍ଥକ୍ୟ ଆଧାରରେ ୨ୟ ସ୍ଥାନରେ ରହି ସେମିଫାଇନାଲ୍‌କୁ ଯିବ । ଭାରତ ଯଦି ଆର୍ଜେଣ୍ଟିନାକୁ ୪ ଗୋଲ୍‌ରେ ହରାଏ, ତେବେ ଇଂଲଣ୍ଡ ନେଦରଲ୍ୟାଣ୍ଡସଠାରୁ ଯେକୌଣସି ବ୍ୟବଧାନରେ ହାରିଲେ ମଧ୍ୟ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିବ ।ଇଂଲଣ୍ଡ-ନେଦରଲ୍ୟାଣ୍ଡସ ମ୍ୟାଚ୍ ଡ୍ର ହେଲେ ଇଂଲଣ୍ଡ ୪ ପଏଣ୍ଟ ପାଇ ଯିବ, ଯାହା ଭାରତକୁ ପ୍ରତିଯୋଗିତାରୁ ବାହାର କରିଦେବ ।

କ୍ୟାପ୍‌ଟେନ୍ ହରମନପ୍ରୀତ ସିଂହ ୬ଟି ଗୋଲ୍ ସହ ଚଳିତ ବିଶ୍ୱକପ୍‌ର ଯୁଗ୍ମ ଶୀର୍ଷ ଗୋଲ୍ ସ୍କୋରର ଅଛନ୍ତି । ଫିଲ୍ଡ ଗୋଲ୍ ଦେବାରେ ସ୍ଥିରତା ନରହିବା ଭାରତ ପାଇଁ ଚିନ୍ତାର ବିଷୟ । ଅଭିଷେକ (୨ ଗୋଲ୍) ଓ ଦିଲପ୍ରୀତ ସିଂହ (୧ ଗୋଲ୍)ଙ୍କ ବ୍ୟତୀତ ଅନ୍ୟ କୌଣସି ଫରୱାର୍ଡ ଖେଳାଳି ଗୋଲ୍ ଦେଇନାହାନ୍ତି । ମୁଖ୍ୟ କୋଚ  କ୍ରେଗ୍ ଫୁଲଟନ୍ କହିଛନ୍ତି, ସେମିଫାଇନାଲ୍‌ରେ ପହଞ୍ଚିବା ପାଇଁ ଆମ ପାଖରେ ସୁଯୋଗ ଅଛି । ଆମକୁ ବହୁତ ଗୋଲ୍ ଦେବାକୁ ପଡ଼ିବ, ମାତ୍ର ସେହି ସମୟରେ ନିଜ ଗେମ୍ ପ୍ଲାନ୍ ଓ ଡିଫେନ୍ସକୁ ସନ୍ତୁଳିତ ରଖିବାକୁ ହେବ ।

Leave A Reply

Your email address will not be published.