Latest Odisha News

BREAKING NEWS

ଜନସାଧାରଣଙ୍କ ସେବା ଲାଗି ରାଜନୀତି ହିଁ ଶ୍ରେଷ୍ଠ ମାଧ୍ୟମ: ଅପରାଜିତା ଷଡ଼ଙ୍ଗୀ

ନୂଆଦିଲ୍ଲୀ: ପୂର୍ବତନ ଓଡ଼ିଶା କ୍ୟାଡ଼ର୍ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଦିନ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ପରେ କହିଛନ୍ତି, ଜନସାଧାରଣଙ୍କ ସେବା କରିବା ଲାଗି ରାଜନୀତି ହିଁ ଶ୍ରେଷ୍ଠ ମାଧ୍ୟମ ।

ବିଜେପିରେ ଯୋଗଦାନ ପରେ ପୂର୍ବତନ ଆଇଏଏସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ସେ ରାଜନୀତିରେ ଯୋଗ ଦେବା ପୂର୍ବରୁ ଅନେକ ପୁସ୍ତକ ପଢିବା ସହିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଛନ୍ତି ।

“ ବିଗତ ୨୪ ବର୍ଷ ଧରି ଜଣେ ଆଇଏଏସ ଅଫିସର ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବା ପରେ, ଲୋକଙ୍କ ସେବା କରିବା ପାଇଁ ରାଜନୀତି ହିଁ ଉତ୍ତମ ମାଧ୍ୟମ ବୋଲି ମୁଁ ହୃଦୟଙ୍ଗମ କରିପାରିଛି । ମୁଁ ମୋ ଚାକିରି କାଳ ସମୟରେ ଜନସାଧାରଣଙ୍କ ସହିତ ଏବଂ ସେମାନଙ୍କ ଲାଗି କାର୍ଯ୍ୟ କରିବାରେ ମୁଁ ଆତ୍ମ ସନ୍ତୋଷ ଲାଭ କରିପାରିଛି । କିନ୍ତୁ ସରକାରୀ ଚାକିରିରେ ଏହାର ଏକ ସୀମା ରହିଥାଏ । ରାଜନୀତିରେ ଏହି ଆତ୍ମସନ୍ତୋଷର ସୀମା ନଥାଏ,” ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ବିଜେପିରେ ଯୋଗଦାନ କରିବାର କାରଣ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସମ୍ପୂର୍ଣ୍ଣ ଭାବେ ସମୀକ୍ଷା କରିବା ପରେ ହିଁ ସେ ବିଜେପିରେ ଯୋଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

“ମୁଁ ବିଜେପିରେ ଯୋଗଦାନ କରିବା ପଛରେ ୨ଟି କାରଣ ନିହିତ ରହିଛି । ପ୍ରଥମତଃ, ମୁଁ ଏହି ଦଳର ଉଦ୍ଦେଶ୍ୟକୁ ବିଶ୍ଳେଷଣ କଲି ଏବଂ ପରେ ଏହି ଦଳର ନେତାଙ୍କୁ ଦେଖିଲି । ବିଜେପି ଏକ ବିକାଶ ଉନ୍ମୁଖ ଦଳ ଭାବେ ମୁଁ ଅନୁଭବ କଲି ଏବଂ ଏହି ଦଳ ଦେଶର ବିକାଶ ଲାଗି ମଧ୍ୟ ପ୍ରତିବଦ୍ଧ । ଭାରତରେ ବିଜେପି ପରି ଅନ୍ୟ କୌଣସି ବିକାଶ ଉନ୍ମୁଖୀ ରାଜନୈତିକ ଦଳ ନାହିଁ । ସମସ୍ତ ଦଳ ଦାବି କରିବେ ଯେ, ଆମ ଦଳ ଦେଶର ବିକାଶରେ ସେମାନଙ୍କର ଭୂମିକା ରହିଛି ବା ସେମାନେ ଦେଶର ବିକାଶ ନିମନ୍ତେ କିଛି କରିଛନ୍ତି । ଜଣଙ୍କୁ ଦେଖିବାକୁ ପଡ଼ିବ ଯେ, ବିକାଶର ଗତି ଅଛି କି ନାହିଁ । ଶେଷରେ ଏହା ଅତ୍ୟୁକ୍ତି ହେବ ନାହିଁ ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କ ନୈତିକତାରେ ଗଭୀର ଭାବେ ପ୍ରଭାବିତ ହୋଇଛି,”ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହିତ ତାଙ୍କର ସାକ୍ଷାତରେ ଭୁବନେଶ୍ୱରରୁ ବିଧାନସଭା ବା ଲୋକସଭା ନିର୍ବାଚନ ଲଢିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଅପରାଜିତା କହିଛନ୍ତି, ତାଙ୍କ ସହିତ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା ।

“ ମୁଁ ଆପଣମାନଙ୍କୁ କହି ରଖିବାକୁ ଚାହେଁ ଯେ, ମୁଁ ବିଜେପିରେ ଯୋଗଦାନ କରିଛି କିନ୍ତୁ ଦଳରେ ଶୀର୍ଷ ପଦବୀ ହାସଲ ବା ନିର୍ବାଚନରେ ଲଢିବା ଉଦ୍ଦେଶ୍ୟ ରଖି ନୁହେଁ । ଯେତେବେଳେ ମୁଁ ପ୍ରଶାସନିକ ସେବାରେ ଥିଲି, ସେବେ ମୁଁ ଜଣେ ମାତ୍ର ସଦସ୍ୟ ଭାବି କର୍ତ୍ତବ୍ୟ କରୁଥିଲି । ମୁଁ ଯେପରି ବି କ୍ଷମତାରେ ରହି କାର୍ଯ୍ୟ କରିଛି ମୂଲ୍ୟବୋଧ, ଅନୁଶାସନ ତଥା ସରକାରୀ କର୍ମଚାରୀଙ୍କ ଲାଗି ଥିବା ନିୟମ କାନୁନ ଅନୁଯାୟୀ କାର୍ଯ୍ୟ କରିବାକୁ ପ୍ରାଥମିକତା ଦେଉଥିଲି ।” ଏହା କହିଛନ୍ତି ଅପରାଜିତା ।

ସେ ଆହୁରି ମଧ୍ୟ କହିଛନ୍ତି, ଯେ ଜଣେ ସରକାରୀ ଅଧିକାରୀ ନିଜର ଚାକିରି କାଳ ମଧ୍ୟରେ ରାଜନୀତିର ସାହାରା ନେଇ ପାରିବ ନାହିଁ, ତେଣୁ ରାଜନୀତିରେ ପାଦ ଦେବା ପୂର୍ବରୁ ସରକାରି ଚାକିରି ଛାଡ଼ିବାକୁ ପ୍ରାୟ ତିନି ମାସ ସମୟ ଲାଗିଗଲା ।

ଅପରାଜିତା ସ୍ପଷ୍ଟ କରି ମଧ୍ୟ କହିଛନ୍ତି ଯେ, ଦଳର ନିଷ୍ପତ୍ତି ଅନୁଯାୟୀ ସେ କାର୍ଯ୍ୟ କରିବେ ।

“ଯଦି ଦଳ ମୋତେ ନିର୍ବାଚନ ଲଢିବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ଏହା ମୋ ଲାଗି ଏକ ବିରାଟ ଚ୍ୟାଲେଞ୍ଜ ସଦୃଶ ହେବ, ମୁଁ ମଧ୍ୟ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଭଲପାଏ ।” ଏହା କହିଛନ୍ତି ଅପରାଜିତା ।

ଓଡ଼ିଶାରେ ବିଜେଡ଼ି ଦୀର୍ଘ ୧୮ ବର୍ଷ ଧରି ଶାସନ କରିଆସୁଛି ଏବଂ ସେ କିପରି ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ଆଗାମୀ ଦିନମାନଙ୍କରେ ମୁଁ ଆପଣମାନଙ୍କୁ ଏସମ୍ପର୍କରେ କହିବି ।”

Leave A Reply

Your email address will not be published.