Latest Odisha News

BREAKING NEWS

ପବିତ୍ର ହରିଶୟନ ଏକାଦଶୀ; ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତଥା ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଏବଂ ଅନେକ ପ୍ରକାର ମାଳି ସହ ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀ ବିଗ୍ରହ । ସକାଳ ୬ ଟାରୁ ରଥ ଉପରେ ମଙ୍ଗଳ ଆଳତୀ ହୋଇ ୧୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ ଭୋଗ ଶେଷ ହୋଇଥିଲା । ଅପରାହ୍ନ ୨ଟା ରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ହେବାପରେ ଅନ୍ୟାନ୍ୟ ନୀତି ବଢ଼ି ସନ୍ଧ୍ୟା ୫ଟା ରୁ ୬ଟା ମଧ୍ୟରେ ସୁନାବେଶ ଆରମ୍ଭ ହୋଇଛି । ରାତି ୧୨ଟା ପର୍ଯ୍ୟନ୍ତ ଏହି ଦୁର୍ଲଭ ବେଶର ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ସେହିପରି, ନୀତି ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସେବାୟତ ମାନେ କିଭଳି ଦର୍ଶନ ସମୟରେ ଶ୍ରୀବିଗ୍ରହଙ୍କ ଆଗରେ ଦଣ୍ଡାୟମାନ ହୋଇ ବାଧକ ନ ସାଜିବେ ସେନେଇ ନିଷ୍ପତ୍ତି ନିଆଯାଇଛି । ପାନୀୟ ଜଳ ଠାରୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସୁବିଧା ଶ୍ରଦ୍ଧାଳୁ ମାନଙ୍କ ପାଇଁ ମହଜୁଦ ରହିଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟରେ ପ୍ରାୟ ୧୫ରୁ ୨୦ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ର ଆସିବାର ଆକଳନ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଭିଡ ଓ ଗହଳି ନିୟନ୍ତ୍ରଣ ପାଇଁ ୨୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମୋବାଇଲର କମ୍ ବ୍ୟବହାର କରି ଦର୍ଶନରେ ବାଧକ ନହେବା ପାଇଁ ଶ୍ରଦ୍ଧାଳୁ ଙ୍କୁ ଅନୁରୋଧ କରିଛନ୍ତି ପୁରୀ ଏସପି । ଜରୁରୀ କାଳୀନ ପରିସ୍ଥିତିରେ ପୋଲିସ୍ ର ସହାୟତା ନେବା ପାଇଁ ନମ୍ବର୍ ରେ ହେଲ୍ପ ଲାଇନ୍ ଜାରି କରାଯାଇଛି । ସେଇଭଳି କ୍ରାଉଡ ମୋବିଲିଟି ଯୋଜନା ଅନୁଯାୟୀ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଗୋଟିଏ ପଥରେ ପ୍ରବେଶ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ମାର୍କେଟ ଛକରେ ବ୍ୟାରିକେଡ୍ ରେ ପ୍ରବେଶ କରିବେ ଏବଂ ଗୋଇଙ୍କା ଧର୍ମଶାଳା, ମର୍ଚିକୋଟ ଏବଂ ରାଧାବଲ୍ଲଭ ମଠ ସମ୍ମୁଖରେ ସିଂହ ଦ୍ୱାର ଆଡକୁ ଯିବେ ।

ସମସ୍ତ ଭକ୍ତ ନନ୍ଦିଘୋଷ ରଥ ପାର୍ଶ୍ୱରେ ଡାହାଣ ପଟେ ଯାଇ ସମସ୍ତ ତିନି ରଥ ଆଗରେ ଯିବେ ଏବଂ ଶ୍ରୀଜୀଉମାନଙ୍କର ଦର୍ଶନ କରିବେ । ଅରୁଣସ୍ତମ୍ଭ ଦେଇ ଗ୍ରାଣ୍ଡ ରୋଡର ପଶ୍ଚିମ ପାର୍ଶ୍ୱ ଦେଇ ମାର୍କେଟ ଛକ ଦେଇ ପ୍ରସ୍ଥାନ କରିବେ।ଦୋଳମଣ୍ଡପ ସାହି, ଜହ୍ନି ମୁଣ୍ଡିଆ ଛକ, ଦୋଳବେଦୀ ଆଦି ସ୍ଥାନରେ ପ୍ରେସର ପଏଣ୍ଟ ଚିହ୍ନଟ କରାଯାଇଛି । ସେଇ ସବୁ ସ୍ଥାନରୁ ଗହଳିର ସ୍ଥିତିକୁ ଦେଖି ନିୟନ୍ତ୍ରିତ କରି ଭକ୍ତଙ୍କୁ ଛଡାଯିବ ।

ସୁନାବେଶ ପାଇଁ ରେଳବାଇ ପକ୍ଷରୁ ୩୫୦ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ପରଦିନ ଅଧରପଣା ନୀତି ଥିବାରୁ ଅନ୍ୟ ୩୫୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ବୋଲି ରେଳବାଇ ସୂତ୍ରରୁ ଜଣା ପଡ଼ିଛି ।

Comments are closed.