ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ ତା ସହ କାର୍ତ୍ତିକ ବ୍ରତ ମଧ୍ୟ ଆରମ୍ଭ ହୋଇଛି ।
ଏହାକୁ ଦୃଷ୍ଟିରେ ରଖି ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଥିବାରୁ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷଣ କରିବା ନେଇ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି। ବିଶେଷ କରି ପତିତପାବନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଭିଡ଼ ହେଉଥିବାରୁ ସେଠାରେ ଏକ ସ୍ବତନ୍ତ୍ର ବ୍ୟାରିକେଡ଼ କରାଯାଇଛି ।
ଅନ୍ୟପଟେ ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଠାରେ ସୁଆର ମହାସୁଆର ନିଯୋଗ ଠାରୁ ଟୋକନ ନେଇ ଭକ୍ତ ମାନେ ମହାପ୍ରସାଦ ପାଇ ପାରିବେ ବୋଲି ସୂଚନା ରହିଛି ।
ପ୍ରତିବର୍ଷ ପବିତ୍ର କାର୍ତ୍ତିକ ମାସରେ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ମାତ୍ର ଚଳିତ ଥର କରୋନା ଯୋଗୁଁ ଭକ୍ତ ଓ ଭଗବାନ ପରସ୍ପରକୁ ଭେଟିବା ସମ୍ଭବ ହୋଇ ପାରିନାହିଁ।
ଶ୍ରୀମନ୍ଦିର ରେ ଦର୍ଶନ ବନ୍ଦ ହେତୁ ପତିତପାବନ ଙ୍କ ଦର୍ଷନ କରି ହବିଷ୍ୟାଳି ମାନେ ରାଇଦାମୋଦର ପୂଜା ତୁଳସୀଚୈରା ମୂଳରେ କରି ଆକାଶ ଦୀପ ଦେଖାଇ ମହାପ୍ରସାଦ ଖାଇ ମାସକଯାକ କଟାଇବେ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି। ଧର୍ମମାସ କାର୍ତ୍ତିକରେ ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ନକରିପାରି ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ଶ୍ରଦ୍ଧାଳୁ।
Comments are closed.