ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ସିଟରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ମହାମୁକାବିଲା । ଆପ ପୁଣି କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ଦଳ ଗଠନ ପରଠୁ ସବୁଠୁ ବଡ ଅଗ୍ନିପରୀକ୍ଷାର ସାମନା କରୁଛି । ବିଜେପି ୨୭ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ ଜାନ୍ ଲଗାଇଛି ତ କଂଗ୍ରେସ ଅସ୍ତିତ୍ବର ଲଢେଇ ଲଢୁଛି । ତେବେ ଏମିତି କିଛି ସିଟ୍ ଅଛି, ଯାହା ଉପରେ ସାରା ଦେଶର ନଜର ରହିଛି । ଏସବୁ ସିଟରେ ନିର୍ବାଚନ ଲଢୁଛନ୍ତି ହେଭିଓ୍ବେଟ ପ୍ରାର୍ଥୀ, ଆଉ ବାଜିରେ ଲାଗିଛି ସବୁ କିଛି । ନୂଆଦିଲ୍ଲୀ ହେଉ କି କାଲକାଜି, ଜଙ୍ଗପୁରା ହେଉ କି ପଟପଡଗଞ୍ଜ, ଏସବୁ ହାଇପ୍ରୋଫାଇଲ୍ ସିଟରେ ହେଉଛି ବଡ଼ ଲଢେଇ । ତେବେ କଣ ରହିଛି ରାଜନୈତିକ ସମୀକରଣ? କାହାର ପଲ୍ଲା ଭାରି? କାହା ସପକ୍ଷରେ ଜନତା?
ନୂଆଦିଲ୍ଲୀରେ ବିଗ୍ ଫାଇଟ୍
ଦିଲ୍ଲୀର ସବୁଠୁ ହଟ୍ ସିଟ୍ ପାଲଟିଛି ନୂଆଦିଲ୍ଲୀ ବିଧାନସଭା ଆସନ । ଏଠାରୁ ଲଢୁଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆପର ବିଜୟ ବାଟ ଓଗାଳିବାକୁ କଂଗ୍ରେସ ଓ ବିଜେପି ବି ହେଭିଓ୍ବେଟ୍ ନେତାଙ୍କୁ ଏଠାରୁ ପ୍ରାର୍ଥୀ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସେହିପରି ବିଜେପି ଦଳର ପୂର୍ବତନ ସାଂସଦ ପ୍ରବେଶ ବର୍ମାଙ୍କୁ ମଇଦାନକୁ ଓହ୍ଲାଇଛି । ୨୦୧୩ରେ ଶିଲା ଦୀକ୍ଷିତଙ୍କୁ ନୂଆଦିଲ୍ଲୀ ସିଟରେ ହରାଇଥିଲେ କେଜ୍ରିଓ୍ବାଲ । ଏଥର ଲଢେଇ ତାଙ୍କ ପୁଅ ସହ ହେଉଛି । ନୂଆଦିଲ୍ଲୀ ସିଟରେ ଭୋଟର କାଟିବା ଓ ନକରି ଭୋଟରଙ୍କ ପଂଜୀକରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ କେଜ୍ରିଓ୍ବାଲ ।
କାଲକାଜିରେ କାଣ୍ଟେ କି ଟକ୍କର
ଦିଲ୍ଲୀର କାଲକାଜି ସିଟରେ ବି ହେଉଛି କଡା ଟକ୍କର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିସୀ ଏଠାରେ ଆପ ଟିକେଟରେ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ତ ବିଜେପି ପୂର୍ବତନ ସାଂସଦ ରମେଶ ବିଧୁଡିଙ୍କୁ ଟିକେଟ୍ ଦେଇଛି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ ଅତିସୀଙ୍କ ସଂପର୍କରେ ବିବାଦୀୟ ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବିଜେପି ପ୍ରାର୍ଥୀ ରମେଶ ବିଧୁଡି । ୨୦୨୦ରେ କାଲକାଜିରେ ୫୫ହଜାରରୁ ଅଧିକ ଭୋଟ୍ ସହ ବିଜୟୀ ହୋଇଥିଲେ ଅତିସୀ । ତେବେ ଏଥର ରୋଚକ ମୁକାବିଲା ଦେଖିବାକୁ ମିଳିବ ।
ଜଙ୍ଗପୁରାରେ ବଡ଼ ଯୁଦ୍ଧ
ଜଙ୍ଗପୁରାରୁ ନିର୍ବାଚନ ଲଢୁଛନ୍ତି ଆପର ହେଭିଓ୍ବେଟ୍ ନେତା ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ । ଏହା ପୂର୍ବରୁ ସିସୋଦିଆ ପଟପଡ଼ଗଞ୍ଜରୁ ପାରମ୍ପରିକ ଭାବେ ନିର୍ବାଚନ ଲଢୁଥିଲେ । ୨୦୨୦ରେ ଏଠାରୁ ଖୁବ୍ କମ୍ ବ୍ୟବଧାନରେ ଜିତିଥିଲେ ସିସୋଦିଆ । ବିଜେପିର ରବିନ୍ଦର ସିଂ ନେଗିଙ୍କୁ ମାତ୍ର ୩ହଜାର ୨୦୭ଭୋଟରେ ସେ ହରାଇଥିଲେ । ଏଥର ତାଙ୍କୁ ପଟପଡଗଞ୍ଜ ଜାଗାରେ ଜଙ୍ଗପୁରାରୁ ପ୍ରାର୍ଥୀ କରାଯାଇଛି । ବିଜେପି ଏଠାରୁ ତରବିନ୍ଦର ସିଂ ମାରଓ୍ବାହ ତ କଂଗ୍ରେସ ଫରହାଦ ସୁରୀଙ୍କୁ ପ୍ରାର୍ଥୀ କରିଛି । ଦିଲ୍ଲୀ ମଦ ନୀତି ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ ସିସୋଦିଆ । ସେହିପରି ଆପ ବିରୋଧରେ ଶାସନ ବିରୋଧୀ ଲହର ଥିବାରୁ ତାଙ୍କ ସିଟ୍ ବଦଳା ଯାଇଥିବା କୁହାଯାଉଛି । ତେବେ ଜଙ୍ଗପୁରା ବି ସିସୋଦିଆଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ପଟପଡଗଞ୍ଜ ଲଢେଇ
ଆପରେ ନମ୍ବର ଟୁ କୁହାଯାଉଥିବା ମନୀଷ ସିସୋଦିଆଙ୍କ ପାରମ୍ପରିକ ସିଟ୍ ପଟପଡଗଞ୍ଜରୁ ଏଥର ପ୍ରାର୍ଥୀ ହୋଇଛନ୍ତି ଶିକ୍ଷାବିତ ଅବଧ ଓଝା। ନିର୍ବାଚନ ପୂର୍ବରୁ ଆପରେ ଯୋଗ ଦେଇଥିଲେ ଅବଧ ଓଝା । ତାଙ୍କ ବିପକ୍ଷରେ ବିଜେପି ରବିନ୍ଦ୍ର ସିଂ ନେଗି ତ କଂଗ୍ରେସ ଅନିଲ କୁମାରଙ୍କୁ ପ୍ରାର୍ଥୀ କରିଛି । ଆପର ଗଡ କୁହାଯାଉଥିବା ପଟପଡଗଞ୍ଜରେ ଗତ ଥର କଡା ମୁକାବିଲାର ସାମନା କରିଥିଲେ ସିସୋଦିଆ। ସେଥିପାଇଁ ଏଠାରେ ପ୍ରାର୍ଥୀ ବଦଳାଇଛି ଦଳ । ସେପଟେ ବିଜେପି ପ୍ରାର୍ଥୀ ରିପିଟ୍ କରିଛି ।
ଜିତିଯିବେ ନା ଫସିଯିବେ ସୌରଭ !
ଦିଲ୍ଲୀର ଗ୍ରେଟର କୈଳାସ ବିଧାନସଭା ସିଟରେ ବିଜେପି ୨୦୧୩ ପର୍ଯ୍ୟନ୍ତ ଜିତିଆସୁଥିଲା । ଅନେକ ଉଦ୍ୟମ ପରେ ବି କଂଗ୍ରେସ ଏଠୁ କେତେ ଜିତିପାରିନଥିଲା । ତେବେ ଗତ ତିନିଟି ନିର୍ବାଚନରେ ଏଠାରୁ ଜିତିଆସୁଛନ୍ତି ଆପ୍ ନେତା ସୌରଭ ଭରଦ୍ବାଜ । ତାଙ୍କ ବିପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଏଥର ତାଙ୍କ ବିପକ୍ଷରେ ବିଜେପି ଶିଖା ରାୟଙ୍କୁ ମଇଦାନକୁ ଓହ୍ଲାଇଛି । ସେହିପରି କଂଗ୍ରେସରୁ ଗର୍ବିତ ସିଂଘଭି ପ୍ରାର୍ଥୀ ହୋଇଛନ୍ତି । ଆପର ଜଣାଶୁଣା ଚେହେରା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ରହିଥିବା ସୌରଭ ଭରଦ୍ବାଜଙ୍କ ପାରମ୍ପରିକ ସିଟ୍ ଗ୍ରେଟର କୈଳାସରେ ବି ବଡ ମୁକାବିଲା ଦେଖିବାକୁ ମିଳିବ ।
Comments are closed.