Latest Odisha News

ସାନପଦର ଠାରେ ନୂଆ ପାସେଞ୍ଜର ହଲ୍ଟ; ଉପକୃତ ହେବେ ସ୍ଥାନୀୟ ଯାତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ଅବସ୍ଥିତ ସାନପଦର ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଶୁଭାରମ୍ଭ କରିଛି ଭାରତୀୟ ରେଳବାଇ । ଏହି ନୂତନ ପାସେଞ୍ଜର ହଲ୍ଟ ଅଞ୍ଚଳର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବ ଏବଂ ସ୍ଥାନୀୟ ଯାତ୍ରୀମାନଙ୍କ ପାଇଁ ସୁଗମତାକୁ ଉନ୍ନତ କରିବ ।

ଗତବର୍ଷ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦଶପଲ୍ଲା ଗସ୍ତ ସମୟରେ ସାଧାରଣ ଲୋକଙ୍କ ଅନୁରୋଧ ପରେ ସାନପଦର ପାସେଞ୍ଜର ହଲ୍ଟ ଖୋଲିବା ନିଷ୍ପତ୍ତି ନିଆଯାଇଥିଲା । ରେଳ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କଠାରୁ ଉତ୍ତମ ରେଳ ସଂଯୋଗ ପାଇଁ ଦାବିକୁ ସ୍ୱୀକାର କରିଥିଲେ ଏବଂ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସାନପଦରରେ ପାସେଞ୍ଜର ହଲ୍ଟ ପ୍ରତିଷ୍ଠା କରାଯିବ । ଏହି ଶୁଭାରମ୍ଭ ସହିତ, ଶ୍ରୀ ବୈଷ୍ଣବ ପୁଣି ଥରେ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିର ଉନ୍ନତି ପାଇଁ ତାଙ୍କର ପ୍ରତିବଦ୍ଧତା ପୂରଣ କରିଛନ୍ତି ।

ଏହି ପାସେଞ୍ଜର ହଲ୍ଟଟି ଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହାର ପ୍ଲାଟଫର୍ମ ୪୫୦ ମିଟର ରହିଛି । ପାସେଞ୍ଜର ହଲ୍ଟରେ ଯୋଗାଇ ଦିଆଯାଇଥିବା ସୁବିଧାଗୁଡ଼ିକ ମଧ୍ୟରେ ଛଅଟି ଛୋଟ ଯାତ୍ରୀ ଆଶ୍ରୟସ୍ଥଳ ରହିଛି । ପ୍ଲାଟଫର୍ମରେ ୩୦ ଜଣ ଯାତ୍ରୀ ଏବଂ ଅପେକ୍ଷା କକ୍ଷରେ ୧୩ ଜଣ ଯାତ୍ରୀଙ୍କ ବସିବା ପାଇଁ ଛଅଟି ବେଞ୍ଚ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ, ରାତ୍ରି ସମୟରେ ଯାତ୍ରା ସମୟରେ ଦୃଶ୍ୟମାନତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୨ଟି ଲାଇଟ୍ ପୋଷ୍ଟ, ପାଣି ଆବଶ୍ୟକତା ପାଇଁ ଗୋଟିଏ ହାତ ନଳକୂପ, ଗୋଟିଏ ବୁକିଂ କାଉଣ୍ଟର, ଅପେକ୍ଷା କକ୍ଷରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ପୃଥକ ଶୌଚାଳୟର ସୁବିଧା କରାଯାଇଛି ।

ସାନପଦର ଠାରେ ଚାରି ଯୋଡ଼ା ଟ୍ରେନ ରହଣି କରିବ

ସ୍ଥାନୀୟ ଯାତ୍ରୀଙ୍କ ସୁଗମତାକୁ ଉନ୍ନତ କରିବା ପାଇଁ ପଦକ୍ଷେପର ଏକ ଅଂଶ ଭାବରେ, ପୂର୍ବତଟ ରେଳପଥ ଘୋଷଣା କରିଛି ଯେ ଗୋଟିଏ ଏକ୍ସପ୍ରେସ ଟ୍ରେନ ସମେତ ଚାରି ଯୋଡ଼ା ଟ୍ରେନ ୨୦ ଜାନୁଆରୀ ୨୦୨୫ ଅର୍ଥାତ୍ ଆଜି ଠାରୁ ସାନପଦର ଠାରେ ରହଣି କରିବ । ନୂଆ ଷ୍ଟେସନରେ ଅଟକିବା ପାଇଁ ନିର୍ଦ୍ଧାରିତ ଟ୍ରେନଗୁଡ଼ିକ ଏହିପରି ରହିଛି:

୧୮୪୨୩/୧୮୪୨୪ ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ:

ଭୁବନେଶ୍ୱରରୁ ଛାଡୁଥିବା ଟ୍ରେନ ସାନପଦରରେ ସନ୍ଧ୍ୟା ୭ଟା ୪୮ରେ ପହଞ୍ଚି ସନ୍ଧ୍ୟା ୭ଟା ୫୦ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ । ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସକାଳ ୭ଟା ୨୨ରେ ପହଞ୍ଚି ସକାଳ ୭ଟା ୨୩ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।
ଏକ୍ସପ୍ରେସ୍ ସେବା ବ୍ୟତୀତ, ତିନୋଟି ଲୋକାଲ ମେମୁ (ମେନ୍ଲାଇନ୍ ଇଲେକ୍ଟ୍ରିକାଲ୍ ମଲ୍ଟିପୁଲ ୟୁନିଟ୍) ଟ୍ରେନ୍ ସାନପଦରରେ ମଧ୍ୟ ରହଣି କରିବ, ଯାହା ସ୍ଥାନୀୟ ଟ୍ରେନ୍ ସଂଯୋଗକୁ ବୃଦ୍ଧି କରିବ:

ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ

ଭୁବନେଶ୍ୱରରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସକାଳ ୧୦ଟା ୫୨ରେ ପହଞ୍ଚି ପୂର୍ବାହ୍ନ ୧୦ଟା ୫୩ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ । ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସନ୍ଧ୍ୟା ୫ଟା ୪ରେ ପହଞ୍ଚି ସନ୍ଧ୍ୟା ୫ଟା ୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।

ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ

ଭଦ୍ରକରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସକାଳ ୯ଟା ୫୩ରେ ପହଞ୍ଚି ପୂର୍ବାହ୍ନ ୯ଟା ୫୪ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ । ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସନ୍ଧ୍ୟା ୫ଟା ୪୪ରେ ପହଞ୍ଚି ସନ୍ଧ୍ୟା ୫ଟା ୪୫ରେ ଭଦ୍ରକ ଅଭିମୁଖେ ଯାତ୍ରା କରିବ ।

ପୁରୀ-ଦଶପଲ୍ଲା-ପୁରୀ ମେମୁ

ପୁରୀରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସନ୍ଧ୍ୟା ୮ଟା ୧୫ରେ ପହଞ୍ଚି ସନ୍ଧ୍ୟା ୮ଟା ୧୬ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ । ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ ସାନପଦରରେ ସକାଳ ୭ଟା ୪୩ରେ ପହଞ୍ଚି ସକାଳ ୭ଟା ୪୪ରେ ପୁରୀ ଅଭିମୁଖେ ଯାତ୍ରା କରିବ ।
ବୋଲାଗଡ଼ ଟାଉନରେ ଉନ୍ନତ ସଂଯୋଗ

ସାନପଦର ହଲ୍ଟ ବ୍ୟତୀତ, ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ମଧ୍ୟ ୨୦ ଜାନୁଆରୀ ୨୦୨୫ ତଥା ଆଜି ଠାରୁ ବୋଲାଗଡ଼ ଟାଉନ ପାସେଞ୍ଜର ହଲ୍ଟରେ ରହଣି ଆରମ୍ଭ କରିବ । ଭୁବନେଶ୍ୱରରୁ ଛାଡୁଥିବା ଟ୍ରେନ ବୋଲଗଡ଼ ଟାଉନ ଠାରେ ସନ୍ଧ୍ୟା ୮ଟା ୩ରେ ପହଞ୍ଚି ସନ୍ଧ୍ୟା ୮ଟା ୪ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ । ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ ବୋଲଗଡ଼ ଟାଉନ ଠାରେ ସକାଳ ୭ଟା ୮ରେ ପହଞ୍ଚି ସକାଳ ୭ଟା ୯ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।

Comments are closed.