Latest Odisha News

ଗୁମ୍ଫାରେ ହୋଟେଲ : ୧୩୦୦ ଫୁଟ ତଳେ ରହିଛି ରୁମ୍‌, ଭଡା ମାସକର ଦରମା ପରି

ସାଧାରଣତଃ ଲୋକମାନେ ଅନ୍ୟ ସହର, ରାଜ୍ୟ କିମ୍ବା ଦେଶକୁ ବୁଲିବାକୁ ଯିବାବେଳେ ହୋଟେଲରେ ରହିଥାନ୍ତି । ଯିବା ପୂର୍ବରୁ ହୋଟେଲ କେମିତି, ତାର ପରିବେଶ, ତାର ସେବା ସମସ୍ତ ବିଷୟରେ ଜାଣିବା ପରେ ଲୋକେ ଯାଇଥାନ୍ତି । ତେଣୁ ପ୍ରତ୍ୟେକ ସହରରେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ହୋଟେଲ ରହିଥାଏ । କିନ୍ତୁ ଦୁନିଆରେ ଏପରି ଏକ ହୋଟେଲ ଅଛି, ଯାହା ଭୂମିଠାରୁ ୧୩୦୦ ଫୁଟ ତଳେ । ଏହି କାରଣରୁ ଏହା ସ୍ୱତନ୍ତ୍ର ଅଟେ । ଏହା ଦୁନିଆର ସବୁଠାରୁ ଗଭୀର ହୋଟେଲ ବୋଲି ବିବେଚନା କରାଯାଏ ।

‘ଦୁନିଆର ସବୁଠାରୁ ଗଭୀର ହୋଟେଲ’ ୱେଲ୍ସର ସ୍ନୋଡୋନିଆ ପର୍ବତର ଗଭୀର ଗୁମ୍ଫାରେ ନିର୍ମିତ ହୋଇଛି । ଏହି ହୋଟେଲର ନାମ ହେଉଛି ‘ଡ଼ିପ୍ ସ୍ଲିପ୍‌’ । ଏଠାରେ ଲୋକେ ୪୧୯ ମିଟର ଅର୍ଥାତ୍ ୧,୩୭୫ ଫୁଟ ଗଭୀରରେ ନିର୍ମିତ କୋଠରୀରେ ରୁହନ୍ତି । ହୋଟେଲର ଭିତର ଅଂଶକୁ ଚମତ୍କାର ଭାବେ ସଜା ଯାଇଛି । ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ଖଣିରେ ଏହି ହୋଟେଲ ନିର୍ମାଣ କରାଯାଇଛି । ଏଥିରେ ୪ଟି ପ୍ରାଇଭେଟ ଡବଲ୍ ବେଡ୍ କ୍ୟାବିନ୍ ରହିଛି । ସେଠାରେ ଏକ ଡ଼ାଇନିଂ ହଲ ରହିବା ସହ ବାଥରୁମର ମଧ୍ୟ ସୁବିଧା ଅଛି । ଏହି ହୋଟେଲ ଗତ ଏପ୍ରିଲ ମାସରେ ଗୋ ବେଲୋ କମ୍ପାନୀ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ଏହା ସପ୍ତାହରେ କେବଳ ଗୋଟିଏ ରାତି ପାଇଁ ଖୋଲାଯାଇଥାଏ । ଲୋକମାନେ ଶନିବାର ସନ୍ଧ୍ୟାରେ ଏଠାକୁ ଆସି ରବିବାର ଚାଲିଯାଆନ୍ତି ।

ଏହି ହୋଟେଲକୁ ଯିବାକୁ ହେଲେ ଆବଡ଼ାଖାବଡ଼ା ରାସ୍ତା, ହ୍ରଦ, ପାହାଡ଼, ସୁଡ଼ଙ୍ଗ ଦେଇ ଯିବାକୁ ପଡିବ । ଯେଉଁଥିପାଇଁ ପାଖାପାଖି ଘଣ୍ଟାଏ ଟ୍ରାକିଂ କରିବାକୁ ପଡ଼ିବ । ଯିବା ରାସ୍ତାରେ ଅନେକ ପ୍ରାଚୀନ କଳାକୃତିମାନ ଦେଖିବାକୁ ମିଳିବ । ତଳକୁ ପହଞ୍ଚିବା ପରେ ଅତିଥିମାନଙ୍କୁ ଉଷୁମ ପାଣି ଦିଆଯାଏ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୁଏ ଏବଂ ତା’ପରେ ସେମାନେ ଶୋଇବାକୁ ଯାଆନ୍ତି । ତେବେ ହୋଟେଲରେ ତାପମାତ୍ର ୧୦ ଡିଗ୍ରୀ ରହିବ । ହୋଟେଲର ମ୍ୟାନେଜର ମାଇକ୍ ମାରିସ୍ କହିଛନ୍ତି, ଏଠାକୁ ଯିଏ ଆସିଛନ୍ତି, ସେମାନଙ୍କୁ ଏହି ଜାଗା ବହୁତ ପସନ୍ଦ ଆସିଛି । ସେମାନଙ୍କୁ ବହୁତ ଭଲ ନିଦ ମଧ୍ୟ ହୋଇଛି । ସେଥିପାଇଁ ଏହି ହୋଟେଲର ନାମ ‘ ଡିପ୍ ସ୍ଲିପ’ ରଖାଯାଇଛି । କିନ୍ତୁ ଏଠାରେ ରହିବାକୁ ଆଗୁଆ ବୁକିଂ କରିବାକୁ ପଡ଼ିଥାଏ । ହୋଟେଲରେ ରହିବାକୁ ୩୫ ହଜାରରୁ ଆରମ୍ଭ କରି ୬୦ ହଜାର ମଧ୍ୟରେ ଖର୍ଚ୍ଚ କରିବାକୁ ହେବ ।

Comments are closed.