Latest Odisha News

BREAKING NEWS

ଏମକେସିଜିରେ ଡାକ୍ତର ଅଭାବ, ଘଣ୍ଟ ବାଡେଇ ପ୍ରତିବାଦ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସମସ୍ତ ଡାକ୍ତର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବ୍ରହ୍ମପୁରର ସଚେତନ ନାଗରିକ ଓ ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ ମେଡିକାଲ ମୁଖ୍ୟ ଗେଟ ସମ୍ମୁଖରେ ଘଣ୍ଟ ବାଡେଇ ଗଣ ବିକ୍ଷୋଭ ହୋଇଥିଲା।

ଆଇନଜୀବୀ ଅବନୀ ଗୟାଙ୍କ ଆହ୍ୱାନକ୍ରମେ ସୋମବାର ଏମକେସିଜି ମେଡିକାଲ ମୁଖ୍ୟ ଫାଟକରେ ଦୀର୍ଘ ସମୟ ଧରି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ଜେରୀୟାଟିକ ବିଭାଗ ଖୋଲିବା, ପୋଡା ଜଳା ଚିକିତ୍ସା ବିଭାଗ (Burn care) ୟୁନିଟ ସ୍ଥାପନ, ୨୪ଘଣ୍ଟା ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର ଓ ରେଡ଼ିଓଲୋଜି ବିଭାଗକୁ ଚାଲୁ କରିବା, ଡାଏଲିସିସ ସେବାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, କାଜୁଆଲିଟିରେ ବରିଷ୍ଠ ଡାକ୍ତରଙ୍କୁ ନିୟୋଜିତ କରିବା ପାଇଁ ଦାବି ହୋଇଥିଲା ।

ସେହିପରି ଟ୍ରମା କେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଅଧିକ ସଂଖ୍ୟାରେ ଆଇସିୟୁ ବେଡ଼ ଓ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଯୋଗାଇବା, ସରକାରୀ ଆମ୍ବୁଲାନ୍ସର ଦାୟିତ୍ୱରେ ଥିବା କତୃପକ୍ଷ ଓ ଘରୋଇ ଆମ୍ବୁଲାନ୍ସ ମଧ୍ୟରେ ଥିବା କମିଶନ କାରବାରକୁ ବନ୍ଦ କରିବା, ମେଡିକାଲ ପରିସରକୁ ଅବାଧରେ ପ୍ରବେଶ କରୁଥିବା ଔଷଧ ଦଲାଲଙ୍କୁ ରୋକିବାକୁ ଦାବି ହୋଇଛି।

ସମସ୍ତ ପ୍ରକାର ସମସ୍ୟା ଓ ଅଭିଯୋଗକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବା ଆଦି ୧୧ ଦଫା ଦାବି ଉପସ୍ଥାପନ କରାଯିବା ସହ ଘଣ୍ଟଯାତ୍ରା ଶୋଭାଯାତ୍ରାରେ ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଯାଇ ସେଠାରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

Comments are closed.