Houthis Strike Saudi: ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ! ସାଉଦି ଉପରେ ହୁତିଙ୍କ ମିସାଇଲ-ଡ୍ରୋନ୍ ଆକ୍ରମଣ, ବଢ଼ିଲା ବଡ଼ ସଂଘର୍ଷର ଆଶଙ୍କା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ତିକ୍ତତା ମଧ୍ୟରେ ଏବେ ଆଉ ଏକ ନୂଆ ସଂଘର୍ଷର ମୋର୍ଚ୍ଚା ଖୋଲିଯାଇଛି। ସାନା ବିମାନବନ୍ଦର ଉପରେ ଆକ୍ରମଣ ପରେ ପ୍ରତିଶୋଧ ନେଲେ ହୁତି ବିଦ୍ରୋହୀ, ସାଉଦିର ଅଭା ବିମାନବନ୍ଦରକୁ ଟାର୍ଗେଟ୍ କଲେ । ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଅଭିଯୋଗ କରିଛନ୍ତି ଯେ, ସାଉଦି ଆରବ ୟେମେନର ରାଜଧାନୀ ସାନା ବିମାନବନ୍ଦର ଉପରେ ବୋମାମାଡ଼ କରିଛି। ଏହାର ଜବାବରେ ହୁତି ବିଦ୍ରୋହୀମାନେ ସାଉଦି ଆରବର ଅଭା ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଛନ୍ତି।
ଏହି ଆକ୍ରମଣ ସହ ମାର୍ଚ୍ଚ ୨୦୨୨ରୁ ଚାଲିଆସୁଥିବା ପ୍ରାୟ ୪ ବର୍ଷର ଅନୌପଚାରିକ ଯୁଦ୍ଧବିରତି ଭାଙ୍ଗିଯାଇଛି। ଏହା ପୂର୍ବରୁ ହୁତି ବିଦ୍ରୋହୀମାନେ ସାଉଦିର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲେ। ସେଥିପରେ ଉଭୟ ପକ୍ଷ ମଧ୍ୟରେ ଅନୌପଚାରିକ ଭାବେ ଯୁଦ୍ଧବିରତି ବଳବତ୍ତର ଥିଲା।
ସାଉଦି ନେତୃତ୍ୱାଧୀନ ସାମରିକ ମେଣ୍ଟର ମୁଖପାତ୍ର କହିଛନ୍ତି, ହୁତି ବିଦ୍ରୋହୀଙ୍କ ଛାଡ଼ିଥିବା ମିସାଇଲକୁ ଦେଶର ଦକ୍ଷିଣ ଆକାଶସୀମାରେ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହ ଅଟକାଇ ଦିଆଯାଇଛି। ସୋମବାର ସାନା ବିମାନବନ୍ଦରରେ ଏକାଧିକ ବିସ୍ଫୋରଣ ଘଟିଥିଲା। ହୁତିଙ୍କ ସମର୍ଥିତ ଅଲ୍-ମସିରାହ ଟିଭି ଏହାର ଭିଡିଓ ମଧ୍ୟ ପ୍ରସାରଣ କରିଛି। ତେବେ ୟେମେନର ଆନ୍ତର୍ଜାତୀୟ ସ୍ୱୀକୃତ ସରକାର କହିଛନ୍ତି, ଇରାନରୁ ଆସୁଥିବା ଏକ ବିମାନକୁ ଅବତରଣରୁ ରୋକିବା ପାଇଁ ଏହି ଆକ୍ରମଣ କରାଯାଇଥିଲା। ସାଉଦି ଆରବ ଏପର୍ଯ୍ୟନ୍ତ ଏହି ଅଭିଯୋଗ ଉପରେ କୌଣସି ଆଧିକାରିକ ପ୍ରତିକ୍ରିୟା ଦେଇନାହିଁ।
ୟେମେନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ତାହିର ଅଲ୍-ଆକିଲି କହିଛନ୍ତି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଶେଷକୃତ୍ୟରୁ ଫେରୁଥିବା ହୁତି ପ୍ରତିନିଧି ଦଳର ବିମାନକୁ ଅଟକାଇବା ପାଇଁ ରନୱେକୁ ଟାର୍ଗେଟ୍ କରାଯାଇଥିଲା। ହେଲେ ହୁତିଙ୍କ ଦାବି ଅନୁଯାୟୀ, ବିମାନଟି ମାର୍ଗ ପରିବର୍ତ୍ତନ କରି ହୋଦେଇଦା ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା।
ହୁତି ସେନା ମୁଖପାତ୍ର ୟାହ୍ୟା ସାରି କହିଛନ୍ତି, ସାଉଦିର ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଅଭା ବିମାନବନ୍ଦର ଉପରେ ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନ୍ ମାଧ୍ୟମରେ ସାମରିକ ଅଭିଯାନ ଚଳାଯାଇଛି ଏବଂ ଏହା ସଫଳ ହୋଇଛି। ଏଥିସହ ସେ ସମସ୍ତ ବିମାନ ସଂସ୍ଥାକୁ ସାଉଦି ଆରବର ଆକାଶପଥ ବ୍ୟବହାର ନ କରିବାକୁ ସତର୍କ କରିଛନ୍ତି।
ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆହୁରି ବ୍ୟାପକ ରୂପ ନେଇପାରେ ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିସରକୁ ଆହୁରି ବଢ଼ାଇପାରେ ବୋଲି ଆନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ିଛି।